କିଏ ସମ୍ଭାଳିବ ଡେରା ସାମ୍ରାଜ୍ୟ ? ରାମ ରହିମଙ୍କ ପାଳିତ ଝିଅ ହନିପ୍ରୀତଙ୍କୁ ନେଇ ଏବେ ଚର୍ଚ୍ଚା

55

କନକ ବ୍ୟୁରୋ : ବଳାତ୍କାରୀ ବାବା ଗୁରମିତ୍ ରାମରହିମଙ୍କ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ପାଳିତ ଝିଅ ହନିପ୍ରୀତ ଇନସାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କୁହାଯାଉଛି ଏହି ହନିପ୍ରୀତ ସମ୍ଭାଳିବେ ଡେରା ସାମ୍ରାଜ୍ୟ । ରାମରହିମଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ତାଙ୍କର ସବୁଠୁ ପ୍ରିୟ ପାଳିତ ଝିଅ ହନିପ୍ରୀତ ଇନସାନ । ଗତ ୨୫ ତାରିଖ ଦିନ ସିରସା ଆଶ୍ରମରୁ ବାବା ରାମରହିମ ଯିବା ବେଳେ ତାଙ୍କ ସହ ଥିଲେ ହନିପ୍ରୀତ । ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ରୋହତକ ପର୍ଯ୍ୟନ୍ତ ବି ଯାଇଥିଲେ ଏହି ମହିଳା ।

ହନିପ୍ରୀତଙ୍କ ମୂଳ ନାଁ ହେଉଛି ପ୍ରିୟଙ୍କା ତନେଜା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହରିୟାଣାର ହିସାର ନିବାସୀ ପ୍ରିୟଙ୍କା, ରାମରହିମଙ୍କ ନିକଟକୁ ଆସିଥିଲେ ଅଭିଯୋଗ ନେଇ । ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ବାବାଙ୍କ ନିକଟରେ । ୨୦୦୯ରେ ରାମରହିମ ତାଙ୍କୁ ପୋଷ୍ୟକନ୍ୟା କରିଥିଲେ ଏବଂ ତାଙ୍କ ନାଁ ରଖିଥିଲେ ହନିପ୍ରୀତ ଇନସାନ୍ । ଏହାପରେ ସେ ସିରସାସ୍ଥିତ ଡେରା ଆଶ୍ରମରେ ରହିଥିଲେ ।

୨୦୧୨ ମସିହା । ହନିପ୍ରୀତଙ୍କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହେଲା । ହନିପ୍ରୀତଙ୍କ ସ୍ୱାମୀ ସାଂଘାତିକ ଅଭିଯୋଗ କରିଥିଲେ ରାମରହିମଙ୍କ ବିରୋଧରେ । ରାମରହିମ ତାଙ୍କ ପତ୍ନୀଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ କରି କୋର୍ଟରେ ମାମଲା ଦାୟର କରିଥିଲେ । ଅବଶ୍ୟ ପରେ ଏହି ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ ହନିପ୍ରୀତଙ୍କ ସ୍ୱାମୀ । ଏହି ବିବାଦର ସମାଧାନ ହୋଇଥିଲା, ମାତ୍ର ଆଶ୍ରମରୁ ଆଉ ଫେରି ନଥିଲେ ହନିପ୍ରୀତ ।

କୁହାଯାଏ, କିଛି ଦିନ ଭିତରେ ହନିପ୍ରୀତ ପାଲଟି ଯାଇଥିଲେ ରାମରହିମଙ୍କ ଲାଡଲୀ ଝିଅ । ରାମରହିମଙ୍କୁ ସବୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ହନିପ୍ରୀତଙ୍କୁ । ରାମରହିମ୍ କରିଥିବା ୫ଟି ଫିଲ୍ମରେ ହନିପ୍ରୀତଙ୍କର ପ୍ରମୁଖ ଭୂମିକା ଥିଲା । ଅଭିନୟ ସହ ଫିଲ୍ମ ଏଡିଟିଂ, ନିର୍ଦ୍ଦେଶନାଠାରୁ ଫିଲ୍ମ ପ୍ରମୋସନ ପର୍ଯ୍ୟନ୍ତ ସେ ଥିଲେ ମୁଖ୍ୟ କାର୍ପେଟଦାର । ତାଙ୍କର ବହୁମୁଖୀ ପ୍ରତିଭାକୁ ବେଶ୍ ତାରିଫ କରୁଥିଲେ ବିବାଦୀୟ ବାବା ରାମରହିମ ।

ଏବେ କୁହାଯାଉଛି, ରାମରହିମଙ୍କ ଛାଇ ଭଳି ରହୁଥିବା ହନିପ୍ରୀତ ହୋଇପାରନ୍ତି ଡେରାର ପରବର୍ତ୍ତୀ ମୁଖ୍ୟ । କାରଣ ହନିପ୍ରୀତଙ୍କ ବିନା ପରାମର୍ଶରେ କିଛି ବି ନିଷ୍ପତି ନିଅନ୍ତି ନାହିଁ ରାମରହିମ । ଡେରା ଅନୁଗାମୀ ମଧ୍ୟ ହନିପ୍ରୀତଙ୍କୁ ବେଶ ପସନ୍ଦ କରନ୍ତି । ହନିପ୍ରୀତଙ୍କ ପ୍ରତ୍ୟେକ କଥା ରାମରହିମଙ୍କ ଇଚ୍ଛା ବୋଲି ଗ୍ରହଣ କରନ୍ତି ରାମରହିମଙ୍କ ଭକ୍ତ ।