ଓଡ଼ିଆ ବ୍ୟବସାୟୀ ଝାଡ଼ଖଣ୍ଡରୁ ଅପହରଣ ! ୫ କୋଟିର ମୁଣ୍ଡ ଜାମିନ ରଖିଲେ ଅପହର୍ତା

61

କନକ ବ୍ୟୁରୋ : ଓଡିଶାର ବ୍ୟବସାୟୀ ମାନସ ରଞ୍ଜନ ଦାଶ । ୬ଦିନ ହେଲା ଏହି ବ୍ୟକ୍ତିଙ୍କ ପତା ପାଉନାହିଁ ପୋଲିସ । ବିହାର, ଝାଡଖଣ୍ଡ ଏବଂ ଓଡିଶାରେ କୁକୁଡା ଖାଦ୍ୟ ବ୍ୟବସାୟ କରୁଥିବା ମାନସ ରଞ୍ଜନ ବିହାରରୁ ଫେରୁଥିବାବେଳେ ଗତ ୨୩ ତାରିଖରେ ତାଙ୍କୁ ଝାଡଖଣ୍ଡରୁ ଅପହରଣ କରିନିଆଯାଇଥିବା ସନ୍ଦେହ କରୁଛି ପୋଲିସ । କାରଣ ପାଟ୍ରୋଲିଂବେଳେ ସନ୍ଦେହଜନକ ଭାବେ ମାନସଙ୍କ ମର୍ସିଡିଜ ଗାଡି ପଡିରହିଥିବା ଦେଖିବାକୁ ପାଇଥିଲା ଝାଡଖଣ୍ଡ ପୋଲିସ ।

ଛାନଭିନ୍ ପରେ ଗାଡିଟି ଭୁବନେଶ୍ୱର ଶୈଳେଶ୍ରୀ ବିହାରରେ ରହୁଥିବା ମାନସ ରଞ୍ଜନଙ୍କର ବୋଲି ଜାଣିବାକୁ ପାଇଥିଲା । ଆଉ ଅଧିକ ଖୋଳତାଡ ପରେ ଗିରିଡିହରେ ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ, ଏକ ଟାଟାସୁମୋ ଗାଡିରେ ଆସି କିଛି ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ପୋଲିସ ଓ ମାନସଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ।

ଝାଡଖଣ୍ଡ ପୋଲିସଠାରୁ ସୂଚନା ପାଇ ମାନସଙ୍କ ପତ୍ନୀ ଓ ଭିଣୋଇ ଝାଡଖଣ୍ଡରେ ପହଂଚି ଗତ ୨୪ ତାରିଖରେ ଅପହରଣ ମାମଲା ଦାୟରକରିଥିଲେ । ଘଟଣାକୁ ୫ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ସଂପର୍କରେ ନା ଝାଡଖଣ୍ଡ ପୋଲିସ ନା ଓଡିଶା ପୋଲିସ କାହାରି ପାଖରେ କୌଣସି ଖବର ନାହିଁ । ଏପଟେ ମାନସଙ୍କ ମାଆ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଲାଗି ପହଂଚିଥିଲେ ମଧ୍ୟ ସାକ୍ଷାତ କରିପାରି ନାହାନ୍ତି ।

ମାନସଙ୍କ ଅପହରଣ ପଛରେ ବିହାରର ଏକ ଅପରାଧୀ ଗ୍ୟାଙ୍ଗର ହାତଥିବା ସନ୍ଦେହ କରାଯାଉଛି । ଏପରକି ମାନଙ୍କୁ ଛାଡିବା ପାଇଁ ଏହି ଗ୍ୟାଙ୍ଗ ତାଙ୍କ ପତ୍ନୀଙ୍କୁ ଫୋନ କରି ୫ କୋଟି ଟଙ୍କା ଦାବି କରିଥିବା କୁହାଯାଉଛି । ହେଲେ ମାନସଙ୍କ ପତ୍ନୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ । ସେପଟେ ବିହାର ଓ ଝାଡଖଣ୍ଡ ପୋଲିସ ମିଳିତଭାବେ ଝାଡଖଣ୍ଡର କେତେକ ସ୍ଥାନରେ ଚଢାଉ କରିଥିବା ରିପୋର୍ଟ କରିଛି ସମ୍ବଦ ସରବରହା ସଂସ୍ଥା ପିଟିଆଇ ।