ଧୋଇଯିବ ଦୀପାବଳି ଓ କାଳୀପୂଜା ! ଅବପାତରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୧୮ଘଂଟା ଭିତରେ ନେଇପାରେ ଡିପ ଡିପ୍ରେସନର ରୂପ

41

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତମାନ ଅବପାତର ରୂପ ନେଇସାରିଛି । ଏହାର ଅବସ୍ଥିତି ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ପୁରୀ ଠାରୁ ୩୭୦ କିଲୋମିଟର ଦୂରରେ ଓ ଚାନ୍ଦବାଲିର ଦକ୍ଷିଣ ଦିଗରୁ ୪୭୦ କିଲୋମିଟର ଦୂରରେ ରହିଛି । ଆଜି ରାତି ସୁଦ୍ଧା ଏହା ଉତ୍ତର ପଶ୍ଚିମ ଓଡିଶା ଉପକୁଳ ଦେଇ ଅତିକ୍ରମ କରିବ । ଆସନ୍ତା ୧୮ ଘଂଟା ଭିତରେ ଏହା ଡିପ୍ ଡିପ୍ରେସନର ରୂପ ନେଇପାରେ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

ବାତ୍ୟାର ଆଶଙ୍କା ଟଳି ଯାଇଥିଲେ ବି ଆଜି ଏବଂ ଆସନ୍ତାକାଲି ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ଜିଲ୍ଲା ଓ ଦକ୍ଷିଣ ଓଡିଶାରେ ଗତକାଲି ଅପରାହ୍ନରୁ ଆରମ୍ଭ ହୋଇଯାଇଛି ବର୍ଷା । ୨୧ ତାରିଖରୁ ବର୍ଷା କମିବ । ତେବେ ୨୩ ତାରିଖ ପୂର୍ବରୁ ବର୍ଷା ଛାଡିବାର ସମ୍ଭାବନା ନାହିଁ । ପବନର ବେଗ ବି ଘଂଟା ପ୍ରତି ୬୫ କିଲୋମିଟର ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅର୍ଥାତ ବର୍ଷା ଦୀପାବଳୀ ଓ କାଳିପୂଜାକୁ ବିଗାଡିବା ଆଶଙ୍କା ରହିଛି । ବର୍ଷା ଯୋଗୁଁ ଫିକା ପଡିଛି ଦୀପାବଳି । ମାନ୍ଦାହୋଇଛି ବାଣ ବଜାର । ପ୍ରବଳ ବର୍ଷା ଯୋଗୁଁ ଦୀପାବଳି ପାଳନର ଉତ୍ସାହ କମିଯାଇଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ବାଣ ବଜାରରେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବାଣ ବଜାରରେ ଏତେଟା ବ୍ୟବସାୟ ଜମିନାହିଁ ।