ବେଆଇନ ଚାଲାଣ ବେଳେ ୩ଶହରୁ ଅଧିକ ଶ୍ରମିକ ଉଦ୍ଧାର । ଦାଦନ ସର୍ଦ୍ଦାର ଫେରାର

45

କନକ ବ୍ୟୁରୋ: ଚାଲାଣ ହେଉଥିବା ବେଳେ ୩ଶହରୁ ଅଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ । ଗତକାଲି ବିଳମ୍ବିତ ରାତିରେ କଂଟାବାଂଜି ପୁଲିସ ଏବଂ ବଲାଙ୍ଗୀର ସ୍ପେଶାଲ ସ୍କ୍ୱାଡ ପୁଲିସ ଶ୍ରମିକଙ୍କୁ ଉଦ୍ଧାର କରିଛି । ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କଂଟାବାଂଜି ଥାନାରେ ରଖାଯାଇଥିବାବେଳେ ଦାଦନ ସର୍ଦ୍ଧାର ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗତ କିଛି ଦିନ ପୂର୍ବରୁ ମଧ୍ୟ କଂଟାବାଂଜି ରେଳଷ୍ଟେସନରୁ ୮୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୁଲିସ । ଚଳିତ ବର୍ଷ ମରୁଡି ଦେଖାଯିବା ସହ କାମଧନ୍ଧା ନମିଳିବାରୁ ଲୋକେ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି । ସରକାର ଦାଦନ ରୋକିବାକୁ ବହୁ ପଦକ୍ଷେପ ନେଉଥିବା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକ ଥମିବାର ନା ନେଉ ନାହିଁ ।

ଗତ ୨୩ ତାରିଖରେ ବାହାର ରାଜ୍ୟକୁ ଚାଲାଣ ବେଳେ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥିଲା ପାଟଣାଗଡ଼ ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଥିଲେ ୬ ଜଣ ପୁରୁଷ, ୬ଜଣ ମହିଳା ଏବଂ ୨ଜଣ ଶିଶୁ । ଚିଙ୍ଗେରବନ୍ଧ ଗାଁର ମହେଶ୍ୱର ବାଗ ନାମକ ଜଣେ ଦଲାଲ ଏହି ଶ୍ରମିକ ମାନଙ୍କୁ ଚାଲାଣ କରୁଥିବା ଜଣାପଡୁଥିଲା । ପରିବାର ପିଛା ୨୨ ହଜାର ଟଙ୍କା ଦେଇ ବେଲପଡା ଥାନା ଚନ୍ଦ୍ରପୁର ଗାଁର ଜଣେ ସର୍ଦ୍ଦାର ପାଖକୁ ଗାଡି ଯୋଗେ ନେଉଥିବା ବେଳେ କେନ୍ଦୁମୁଣ୍ଡି ଗାଁ ନିକଟରେ ପୋଲିସ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା । ଟ୍ରେନ୍ ଯୋଗେ ଏହି ଶ୍ରମିକମାନେ ହାଇଦ୍ରାବାଦକୁ ଇଟା ବାଡ଼େଇବାକୁ ନେବାର ଯୋଜନା ରହିଥିଲା । ବଲାଙ୍ଗୀର ଜିଲ୍ଲା ଶ୍ରମିକ ଅଧିକାରିଙ୍କୁ ଡ଼ାକି ତଦନ୍ତ ପରେ ଡ୍ରାଇଭର ସହ ଦଲାଲକୁ ଗିରଫ କରିଥିଲା ପାଟଣାଗଡ଼ ପୋଲିସ ।

ସେହିପରି ମାର୍ଚ ମାସରେ ଅର୍ଥ ଉପାର୍ଜନର ପ୍ରଲୋଭନ ଦେଖାଇ ଜିଲ୍ଲାର ଧର୍ମଗଡ ବ୍ଲକ ଗୋଳାମୁଣ୍ଡା ଅଂଚଳର ୧୨ଜଣ ନାବାଳିକାକୁ ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଥିଲା । ତିନି ଜଣ ଦଲାଲ ଟ୍ରେନ ଯୋଗେ ୧୨ ନାବାଳିକାଙ୍କୁ ତାମିଲନାଡୁକୁ ନେଉଥିବା ବେଳେ କେସିଙ୍ଗା ପୋଲିସ ହାତରେ ଧରାପଡିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ପରେ ବି ଜିଲ୍ଲାରେ ଦାଦାନ ଶ୍ରମିକଙ୍କ ସଂଖ୍ୟା କମିବାର ନାଁ ଧରୁନି । ପେଟ ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଉଥିବା ସେମାନେ କହିଛନ୍ତି ।