ଆକ୍ସନ ମୋଡକୁ ଆସିଲେ ରାହୁଲ । ହେଲେ ଏବେ ବି କଂଗ୍ରେସ ଅଧ୍ୟକ୍ଷ ପଦ ନେଇ ଛକାପଞ୍ଝା ।

170

କନକ ବ୍ୟୁରୋ: ୧୯ ଯୁଦ୍ଧର ପରାଜୟ ପରେ ପୁଣି ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଲୋକସଭା ନିର୍ବାଚନରେ ହାରିବା ପରେ ଏବେ ପୁଣି ଥରେ ସଙ୍ଗଠନକୁ ଦୃଢ କରିବାକୁ ଲାଗି ପଡିଥିବା କୁହାଯାଉଛି । କାରଣ ପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନେଇ ଅଡି ବସିଥିବା ରାହୁଲ ଏବେ ପୁଣିଥରେ ଦଳୀୟ କାର୍ଯ୍ୟକ୍ରମକୁ ଫୋକସ୍ କରୁଥିବା ଦେଖିବାକୁ ମିଳିଛି । ତେଣୁ ଆସନ୍ତା ୨୭ ତାରିଖ ଦିନ ହରିୟାଣାରେ ଏକ ରାଲିକୁ ରାହୁଲ ଗାନ୍ଧୀ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଏହା ସହ ଯେଉଁସବୁ ରାଜ୍ୟରେ ନିର୍ବାଚନ ବାକି ଅଛି ସେହି ରାଜ୍ୟର ନେତାଙ୍କ ସହ ରାହୁଲ ସାକ୍ଷାତ୍ ମଧ୍ୟ କରିପାରନ୍ତି।

ସେପଟେ ହରିୟାଣାର ରାଜ୍ୟ ସମନ୍ବୟ ସମିତି ସହ ନିଜ ଘରେ ଏକ ବୈଠକ କରିବା ପରେ ଗୁରୁବାର ମହାରାଷ୍ଟ୍ରର ବରିଷ୍ଠ ନେତାଙ୍କ ସହ ରାହୁଲ ଗାନ୍ଧୀ ତୃଣମୂଳ ସ୍ତରରେ କଂଗ୍ରେସକୁ ବଳ ଯୋଗାଇବା ପାଇଁ ବୈଠକ ଡକାଇଥିବା ଜଣାପଡ଼ିଛି । ଏହାବାଦ୍ ଗତ ନିର୍ବାଚନରେ ଦିଲ୍ଲୀରେ ପରାଜିତ ହୋଇଥିବା କଂଗ୍ରେସ ଅଧ୍ୟକ୍ଷା ଶିଲା ଦିକ୍ଷିତଙ୍କ ସହ ମଧ୍ୟ ଶୁକ୍ରବାର ଏକ ସମୀକ୍ଷା ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଅନ୍ୟପଟେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନେଇ ଅଡି ବସିଥିବା ରାହୁଲ ଏଯାବତ୍ ଅଧ୍ୟକ୍ଷ ପଦକୁ ନେଇ ମୁହଁ ଖୋଲିନାହାନ୍ତି । ହେଲେ ହଠାତ୍ ଆକ୍ଟିଭ୍ ମୋଡରେ ଆସିବା ଏବଂ ପୁଣି ସାଂଗଠନିକ ସ୍ଥିତିକୁ ମଜଭୁତ କରାଇବା ନେଇ ଏସବୁ ବୈଠକର ଆୟୋଜନ କରିବା କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏବେବି ଅନିଶ୍ଚିତତା ବଢ଼ାଇଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।