ସଂସଦରେ ପ୍ରିୟା ପ୍ରକାଶଙ୍କ ଠାଣିରେ ଆଖି ମାରିଲେ ରାହୁଲ ଗାନ୍ଧି । ସୋସିଆଲ ମିଡିଆରେ ଭାଇରାଲ ହେଲା ରାହୁଲଙ୍କ ନୂଆ ଅନ୍ଦାଜ

37

ପ୍ରିୟା ପ୍ରକାଶଙ୍କ ଅନ୍ଦାଜରେ ଆଖି ମାରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶୁକ୍ରବାର ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ରାହୁଲଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଦୁ କି ଝପି ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ ରାହୁଲ । କିନ୍ତୁଏହାପରେ ରାହୁଲଙ୍କ ଆଉ ଏକ ହରକତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଛି । ସଂସଦରେ ଆଖି ମାରି ଇଣ୍ଟରନେଟ ନୂଆ ସେନସେସନ ପାଲଟି ଯାଇଛନ୍ତି ରାହୁଲ ଗାନ୍ଧି ।

ଘଟଣାଟି ଠିକ୍ ଏହିପରି ଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଦୁ କି ଝପି ଦେଇ ରାହୁଲ ନିଜ ସିଟକୁ ଫେରିଲେ ସେତେବେଳେ ରାହୁଲ କାହାକୁ ଆଖି ମାରୁଥିବାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା । ରାହୁଳଙ୍କ ଏହି ଆଖିମରା ଠାଣି ସମ୍ପୂର୍ଣ୍ଣ ଭାବେ ପ୍ରିୟା ପ୍ରକାଶଙ୍କ ଆଖିମରା ସିନ ସାଙ୍ଗରେ ମ୍ୟାଚ କରୁଥିଲା । ଗୋଟିଏ ଆଖିରେ ଆଖିମାରି ରାହୁଲ କିଛି ଇସାରା କରୁଥିବାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶୁକ୍ରବାର ସଂସଦରେ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା । ଯାହା ଅନ୍ୟ ମାନଙ୍କ ପାଇଁ ଚର୍ଚ୍ଚାର ଖୋରାକ ପାଲଟିଥିଲା । କେବଳ ରାହୁଲଙ୍କ ଆଖିମରା ଘଟଣା ନୁହେଁ ଏହା ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି କିଛି ଘଟଣା ଗୃହ ମଧ୍ୟରେ ଦେଖିବାକୁ ମିଳିଥିଲା । ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ନିଜର ଭାଷଣ ଶେଷ କରିବା ପରେ ନିଜ ସିଟରୁ ଉଠି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ । କେହି କିଛି ଭାବିବା ପୂର୍ବରୁ ରାହୁଲ ମୋଦିଙ୍କ ସହ ହାତ ମିଳାଇବା ସହ ଆଲିଙ୍ଗନ କରିଥିଲେ ।

ଆଉ ରାହୁଲଙ୍କ ଏହି ଆଲିଙ୍ଗନକୁ ସୋସିଆଲ ମିଡିଆରେ ମୁନା ଭାଇଙ୍କ ଯାଦୁ କି ଝପି ସହ ତୁଳନା କରିଥିଲେ ୟୁଜର୍ସ । ଅଚାନକ ରାହୁଲଙ୍କ ଏଭଳି ରୂପ ଦେଖି ମୋଦି ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଯାଦୁ କି ଝପି ଦେଇ ନିଜ ସିଟକୁ ରାହୁଲ ଫେରୁଥିବା ବେଳେ ମୋଦି ପୁଣିଥରେ ତାଙ୍କୁ ଡାକି ହାତ ମିଳାଇବା ସହ ପିଠି ଥାପୁଡାଇ ଶୁଭେଚ୍ଛା ଜଣାଇଥିଲେ । ତେବେ ସଂସଦ ପରିସରରେ ଏଭଳି କିଛି ରୋଚକ ଦୃଶ୍ୟ ଦେଖି ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଛି । ସାଧାରଣତଃ ଫିଲ୍ମରେ ଆଖିମାରି ନିଜର ଭଲପାଇବା ଜାହିର କରା ଯାଇଥାଏ । କିନ୍ତୁ ସଂସଦ ପରିସରରେ ରାହୁଲଙ୍କ ଆଖିମରାର ଅର୍ଥ କଣ । ରାହୁଲଙ୍କ ଏହି ଆଖିମରା ପଛରେ କଣ ରହସ୍ୟ ଲୁଚି ରହିଛି ତାହା କହିବା ମୁସ୍କିଲ ।