ଦରମା ଅଛି ଖାତାରେ, ଟଙ୍କା ନାହିଁ ହାତରେ ! ବିମୁଦ୍ରାକରଣର ଭୟଙ୍କର ପ୍ରଭାବ

65

କନକ ବ୍ୟୁରୋ : ବିମୁଦ୍ରାକରଣକୁ ନେଇ ସରକାର ଦେଇଥିବା ୫୦ ଦିନିଆ କଂଟର ଅଧା ଶେଷ ହେଲାଣି । ତଥାପି କମିନି ବ୍ୟାଙ୍କ୍ ଓ ଏଟିଏମରେ ଭିଡ । ବିଶେଷ କରି ଦରମା ସପ୍ତାହରେ ବଢିଛି ଗହଳି । ଟଙ୍କା ଉଠାଣ ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି ଚାକିରିଆ ଓ ପେନସନଧାରୀ । ଡ୍ୟୁଟି ସାରି ରାତି ଅଧାରେ ବି ଲଗାଇବାକୁ ପଡୁଛି ଲାଇନ୍ ।

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିିଛି ନବରଙ୍ଗପୁରରେ । ରାତିରେ ଏଟିଏମ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍ । ଡ୍ୟୁଟି ସାରି ଫେରିବା ପରେ ନିଜ ଆକାଉଂଟରୁ ଦରମା ଟଙ୍କା ଉଠାଇବାକୁ ହନ୍ତସନ୍ତ ହେଉଛନ୍ତି ଚାକିରିଆ । କାରଣ ଟଙ୍କା ଉଠାଣ ଉପରେ ରହିଛି ସରକାରୀ କଟକଣା ।

ଦରମା ଦିନରେ ବ୍ୟାଙ୍କରେ ଭିଡ, ପେନସନଧାରୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଚାକିରିଆ ଓ ପେନସନଧାରୀଙ୍କ ପାଇଁ ସ୍ୱତନ୍ତ୍ର କାଉଂଟର କରିଛନ୍ତି ବ୍ୟାଙ୍କଗୁଡିକ । ହେଲେ ସକାଳ ୭ରୁ ଆସି ବ୍ୟାଙ୍କ ଖୋଲିବା ଆଗରୁ ଲାଇନ୍ ଲଗାଉଛନ୍ତି ବରିଷ୍ଠ ନାଗରିକ । ଘଂଟାଘଂଟା ଧରି ଧାଡିରେ ଛିଡା ହେବା ପରେ ମିଳୁଛି ୨୪ ହଜାର ଟଙ୍କା । ଭିଡକୁ ଏଡାଇ ଏଟିଏମ୍ ସାମ୍ନାରେ ଧାଡି ଲଗାଇଲେ ୨ ହଜାରରେ ସନ୍ତୁଷ୍ଟ ହେବାକୁ ପଡୁଛି ।

ବିମୁଦ୍ରାକରଣ ଘୋଷଣାକୁ ୨୫ଦିନ ପୁରିଲାଣି, ତଥାପି ବ୍ୟାଙ୍କ୍ ଓ ଏଟିଏମ୍ ସାମ୍ନାରେ କମୁନି ଭିଡ । ଚାକିରିଆଙ୍କ ଗହଳି ଭିତରେ ବି ହଇରାଣ ହେଉଛନ୍ତି ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ଉଠାଇବାକୁ ଆସୁଥିବା ଲୋକ । ସେପଟେ ଅଧିକାଂଶ ଏଟିଏମରୁ ବାହାରୁଛି ୨୦୦୦ ଟଙ୍କିଆ ବଡ ନୋଟ୍ । ଯାହାକୁ ନେଇ ବଜାରରେ ଖୁଚୁରା କରିବା ସମ୍ଭବ ହେଉନଥିବାରୁ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ଅଚଳ ନୋଟ ଜମା କରିବା ପାଇଁ ସରକାରଙ୍କ ୫୦ ଦିନର ମହଲତରୁ ଅଧେ ଶେଷ ହୋଲାଣି । ତଥାପି ସ୍ୱାଭାବିକ ହୋଇପାରୁନି ଟଙ୍କା ଉଠାଣ ସମସ୍ୟା । ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲାଗି ରହୁଛି ଅସମ୍ଭବ ଭିଡ ।