ନଟେଇରେ ଜୀବନ ନାଟିକା ! ଗୁଡି ଉଡାର ମଉଜ ଭିତରେ ଚାଲିଗଲା ଜୀବନ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୁଡି ନେଲା ଜୀବନ । ଗୁଡି ପାଇଁ ପ୍ରାଣ ହରାଇଛନ୍ତି ଜଣେ ୧୨ ବର୍ଷର ଛାତ୍ର । ଏହି ଅଘଟଣ ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । କଳ୍ପନା ସବରସାହି ସରକାରୀ ବିଦ୍ୟାଳୟରେ ଗୁଡି ଉଡାଉଥିବା ସମୟରେ ଗୁଡିଟି ବିଦ୍ୟାଳୟ ପରିସରରେ ଥିବା ପଣସ ଗଛରେ ଲାଗିଯାଇଥିଲା । ଗଛରୁ ଗୁଡି କାଢୁଥିବାବେଳେ ଗଛରୁ ପଡି ସେହି ବିଦ୍ୟାଳୟର ଛାତ୍ରଙ୍କ ଜୀବନ ଯାଇଛି ।

ଛାତ୍ର ଜଣକ ହେଲେ ପିଂଟୁ ପ୍ରଧାନ । ବୟସ ପାଖାପାଖି ୧୨ ବର୍ଷ । ୩ୟ ଶ୍ରେଣୀର ଛାତ୍ର । ଶନିବାର ସ୍କୁଲ ୧୨ଟାରେ ଛୁଟି ହେବା ପରେ ପିଂଟୁ ତାଙ୍କର କିଛି ସାଙ୍ଗ ସହ ବିଦ୍ୟାଳୟ ପରିସରକୁ ଗୁଡି ଉଡାଇବା ପାଇଁ ଆସିଥିଲା । ପରେ ଏଭଳି ଦୁର୍ଘଟଣା ଘଟିଥିଲା । ଛାତ୍ରଟି ଗଛରୁ ପଡିଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୃତ ଛାତ୍ର ପିଂଟୁଙ୍କ ଘର ହେଉଛି କଳ୍ପନା ତେଲୁଗୁ ବସ୍ତିର । ତାଙ୍କ ବାପା ଜଣେ ଦିନ ମଜୁରୁଆ । ଅଘଟଣ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ସରକରୀ ବିଦ୍ୟାଳୟରେ ଛାତ୍ରଙ୍କୁ ଗୁଡି ଉଡାଇବା କାହାଁକି ବାରଣ କରାଯାଇନଥିଲା ।