ମୋଦିଙ୍କୁ ନବୀନଙ୍କ ରେଡକାର୍ଡ! ପରୀକ୍ଷା ପେ ଚର୍ଚ୍ଚାକୁ ବୋଝ କହିଲେ ନବୀନଙ୍କ ମନ୍ତ୍ରୀ

52

କନକ ବ୍ୟୁରୋ : ସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ଉପରେ ଚର୍ଚା କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଆସନ୍ତା ୧୬ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ କହିଛି ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ଏତେଶୀଘ୍ର ଏତେବଡ ଆୟୋଜନ କରିବା ସହଜ କଥା ନୁହେଁ । ଫଳରେ କାର୍ଯ୍ୟକ୍ରମକୁ ନେଇ ଓଡିଶାରେ ଅନିଶ୍ଚିତତା ଦେଖାଦେଇଛି ।

ସ୍କୁଲ ପିଲାଙ୍କୁ ଏକାଠି କରି ମନ୍ କି ବାତ୍ କହିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାର ନାଁ ରଖାଯାଇଛି ପରୀକ୍ଷା ପେ’ ଚର୍ଚ୍ଚା । ଭିଡିଓ କନଫରେନସିଂ ଜରିଆରେ ଦେଶର ସବୁ ସ୍କୁଲ ଓ କଲେଜ ଛାତ୍ରଛତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି କାର୍ଯ୍ୟକ୍ରମ ପଛରେ ଉର୍ଦ୍ଦେଶ୍ୟ କ’ଣ ତାକୁ ନେଇ ସନ୍ଦେହ କରୁଛି ବିଜେଡି । ବିଜେଡି ଅନୁଭବ କରୁଛି- ବିଜେପି ରାଜନୀତି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି । ଏବଂ ଏଥିପାଇଁ ସବୁ ସ୍କୁଲ ଓ କଲେଜରେ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଫେବୃୟାରୀ ୨୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ସେପଟେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । କିନ୍ତୁ ତା ଭିତରେ ମୋଦି ବନାମ ନବୀନ ରାଜନୀତି, ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ସ୍ପଷ୍ଟବାରି ହେଉଛି । ଗୋଟିଏ ପଟେ ବିଜେଡି କହିଛି ପରୀକ୍ଷା ସମୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ଥିବା ଏକାଗ୍ରତା ଭଙ୍ଗ କରିବ । ଏଭଳି ସ୍ଥଳେ ବିଜେପି କହିଛି ସଚିବଙ୍କ କଥା ମନ୍ତ୍ରୀ କହୁଛନ୍ତି ।

ଆସିଥିବା ଚିଠି ଅନୁସାରେ-ଆସନ୍ତା ୧୬ ତାରିଖରେ ପ୍ରଧାନମନ୍ତ୍ରୀ, ଚାପମୁକ୍ତ ପରୀକ୍ଷା ନେଇ ପିଲାଙ୍କୁ ଟିପ୍ସ ଦେବେ । ଏକଜାମ ୱାରିୟର୍ସ ପୁସ୍ତକ ଉନ୍ମୋଚନ ପରେ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ଏକ ଘଂଟାର ଅଭିଭାଷଣ ରଖିବେ । କିନ୍ତୁ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଛକାପଂଝା, ଏହି କାର୍ଯ୍ୟକ୍ରମର ସଫଳତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।