ଏନଜିଟିରେ ପୋଲାଭରମ ମାମଲା: ସୁପ୍ରିମ୍ କୋର୍ଟରେ ଦାଖଲ ମାମଲା ଟ୍ରିବୁନାଲରେ ଉପସ୍ଥାପନ ପାଇଁ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ । ନଭେମ୍ବର ୧୩ରେ ହେବ ପରବର୍ତ୍ତୀ ଶୁଣାଣି

15

କନକ ବ୍ୟୁରୋ: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପୋଲଭରମ ପ୍ରକଳ୍ପ ମାମଲାର ଶୁଣାଣି କରି ଏ ବାବଦରେ ବିଗତ ୧୧ ବର୍ଷ ହେଲା ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଥିବା ମାମଲାଗୁଡ଼ିକୁ ଟ୍ରିବ୍ୟୁନାଲରେ ସୋମବାର ଦିନ ଉପସ୍ଥାପନ କରିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ୍ କୋର୍ଟରେ ଏ ବାବଦରେ ୯ଟି ମାମଲାରେ ବିଚାରାଧୀନ ରହିଛି । ସ୍ୱେଚ୍ଛାସେବୀ ସଂଗଠନ ‘ରେଲା’ର ଆବେଦନ ସଂପର୍କରେ ଶୁଣାଣି ଗତକାଲି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ସ୍ୱତନ୍ତର କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ହୋଇଥିଲା ।

ପ୍ରକଳ୍ପର ପରିବେଶ ମଂଜୁରୀ ନଥିବା, ପ୍ରଭାବିତ ଅଂଚଳରେ ଜନଶୁଣାଣି କରାନଯିବା, ମୂଳ ପ୍ରକଳ୍ପର ସ୍ୱରୂପକୁ ପରିବର୍ତ୍ତନ କରାଯିବା ଏବଂ ଡ୍ୟାମର ଉଚ୍ଚତା ବୃଦ୍ଧି କରାଯିବା ଭଳି ପ୍ରସଙ୍ଗ ସଂପର୍କରେ ଆବେଦନକାରୀଙ୍କ ତଥ୍ୟକୁ ବିଚାର କରି ଆଦେଶ ଜାରି କରିବାକୁ ରେଲା ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରବଣ କୁମାର ଯୁକ୍ତି ଦର୍ଶାଇଥିଲେ । ପ୍ରକଳ୍ପ ଯୋଗୁଁ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ବ୍ୟାପକ ଅଂଚଳ ଜଳମଗ୍ନ ହେବାକୁ ଥିବାରୁ ଏ ବାବଦଦରେ ସଠିକ ଆଳନନ ଜରୁରୀ ବୋଲି ସେ କହିଥିଲେ ।

ଟ୍ରିବ୍ୟୁନାଲରେ ଉପସ୍ଥିତ ଥିବା ଆନ୍ଧ୍ର ପ୍ରଦେଶର ଓକିଲ ଏକେ ଗାଙ୍ଗୁଲି ଖଣ୍ଡପୀଠଙ୍କ ପ୍ରଶ୍ନର ଜବାବ ଦେଇ କହିଥିଲେ ଯେ ଡ୍ୟାମରେ ଜଳଧାରଣ କ୍ଷମତାକୁ ବୃଦ୍ଧି କରାଯାଇଛି, ତେବେ ଉଚ୍ଚତା ବୃଦ୍ଧି ଆଦୌ ହୋଇନାହିଁ । ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ସେ କହିଥିଲେ । ଆନ୍ଧ୍ର ସରକାରଙ୍କ ଓକିଲ କହିଥିଲେ ଯେ ଏନଜିଟି ୨୦୦୭ରେ ପୋଲାଭରମ ପ୍ରକଳ୍ପର ପରିବେଶ ମଂଜୁରିକୁ ରଦ୍ଦ କରିଦେଇଥିଲେ । ମାତ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ୨୦୧୧ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶ ଦେବାପରେ ତାହାକୁ ପ୍ରତ୍ୟାହାର କରିନେଇଥିଲେ । ଏନଜିଟି ଏ ବାବଦରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖରେ କରିବେ ।