ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ତେଜିଲା ରାଜନୀତି ! ବିଜେଡି କହିଲା, ହୀନ ରାଜନୀତି କରୁଛି ବିଜେପି ।

430

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ତେଜିଛି ରାଜନୀତି । ପୁଲିସ ହରିଦାଶପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ବାନ୍ଧିବା ସହିତ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାବେଳେ ରାଜନୈତିକ ଅଭିସନ୍ଧି ରଖି ବିଜେପି ଏବେ ଏଥିରେ ବିଜେଡି ନେତାମାନଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛି ବୋଲି ବିଜେଡି କହିଛି । ଏପରିକି ଏହି ମାମଲାରେ ବିଜେଡିକୁ ଯୋଡିବା ପାଇଁ ଗିରଫ ହୋଇଥିବା ସରପଞ୍ଚଙ୍କ ସ୍ୱାମୀଙ୍କ ସହିତ କିଛି ବିଜେଡି ନେତାଙ୍କ ଫଟୋ ଦେଖାଇଛନ୍ତି । ତେବେ ଗିରଫ ହୋଇଥିବା ରୂପେଶଙ୍କ ସହିତ ବିଜେପିର କିଛି ବରିଷ୍ଠ ନେତାଙ୍କ ମାଳ ମାଳ ଫଟୋ ଏବେ ପଦାକୁ ଆସିଛି । ତେଣୁ ଏହି ମାମଲାରେ କ’ଣ ବିଜେପି ନେତାମାନେ ଜଡିତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ସେ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲାରେ ପୁଲିସର ତଦନ୍ତ ଜାରି ରହିଛି । ଇତି ମଧ୍ୟରେ ମାମଲାରେ ଜଡିତ ଅଭିଯୋଗରେ ସରପଞ୍ଚଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ରାଜ୍ୟ ସରକାର ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତକୁ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ତଦନ୍ତ ସରିବା ପର୍ଯ୍ୟନ୍ତ ବିରୋଧିଦଳ ଗୁଡିକୁ ଅପେକ୍ଷା କରିବା ଉଚିତ । ହେଲେ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସେମାନେ ଏବେ ମାମଲାକୁ ଅଧିକ ଗୋଳିଆ କରିବାରେ ଲାଗିଛନ୍ତି । ଏଥିଯୋଗୁଁ ତଦନ୍ତ ବାଟବଣା ହେବାରେ ଆଶଙ୍କା ବି ରହିଛି ।

ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବା ଏବଂ ଆତ୍ମୀୟଙ୍କୁ ହରାଇ ତାଙ୍କର ପରିବାର ଅତ୍ୟନ୍ତ ମାନସିକ ଚାପରେ ଥିବାଯୋଗୁଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି ତଦନ୍ତକୁ ସହାୟତା କରିବା ଆବଶ୍ୟକ ବୋଲି ବିଜେଡି କହିଛି ।