କଂଗ୍ରେସ ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବା ନେଇ ବଢିଲା ଚର୍ଚ୍ଚା ! ସେପଟେ ବୈଜୟନ୍ତ କହିଲେ, ଖୁବ ଶିଘ୍ର ନେବେ ନିଷ୍ପତ୍ତି ।

311

କନକ ବ୍ୟୁରୋ : ଦଳ ବଦଳ ପାଇଁ ଜନମତ । ଚର୍ଚ୍ଚାରେ ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ କାର୍ଯ୍ୟକ୍ରମ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନେତା ଓ କର୍ମୀଙ୍କୁ ନେଇ ମତ ଲୋଡୁଛନ୍ତି ନବ ଦାସ । କଂଗ୍ରେସରେ ରହିବେ ନା’ ଅନ୍ୟ ଦଳକୁ ଯିବେ ? କେଉଁ ଦଳରୁ ଲଢ଼ିବେ ଚର୍ଚ୍ଚା ଭିତରେ ନବୀନଙ୍କ ସହ ପରିବାରର ଫେଟୋକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଏପଟେ ସମାନ ଢ଼ଙ୍ଗରେ ବୈଜୟନ୍ତ ପଣ୍ଡା ମଧ୍ୟ ଜନମତ ସଂଗ୍ରହ କରୁଥିବା ବେଳେ ବିଜେପିରେ ଯୋଗ ଦେବା ନେଇ ବଢୁଛି ସନ୍ଦେହ । ତେବେ ବାଲିଗୁଡ଼ାରେ ବୈଜୟନ୍ତ କହିଛନ୍ତି ଖୁବ୍ ଶୀଘ୍ର ଚୁଡାନ୍ତ ନିଷ୍ପତି ନେବେ ।

ନବ ଦାସ କରିବେ ଦଳ ବଦଳ ? କିଶୋରଙ୍କ ପାଇଁ ନବ ଅଡୁଆ ? ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ବିଧାୟକ ନବ ଦାସ କରୁଥିବା ମତ ସଂଗ୍ରହ, ହୁଏତ ଇସାରା କରୁଛି ଯେ, ୨୦୧୯ ନିର୍ବାଚନରେ ତାଙ୍କୁ ହାତ ଚିହ୍ନରେ ନୁହେଁ ବରଂ ଅନ୍ୟ କୌଣସି ଦଳୀୟ ଚିହ୍ନରେ ଦେଖିବାକୁ ମିଳିପାରେ । ନବ ଦାସଙ୍କ ଦଳବଦଳକୁ ନେଇ ଏବେ ଜୋରସୋର ଆଲୋଚନା ହେଉଥିବା ବେଳେ ସେ ବିଜେଡି ଆଡକୁ ଲଢ଼ୁଥିବା ନେଇ ଚର୍ଚ୍ଚା ହେଉଛି ।

କାହିଁକି ଲୋକଙ୍କ ମତ ଲୋଡୁଛନ୍ତି ନବ ? କଂଗ୍ରେସ ଛାଡିବା ପାଇଁ ଖୋଜୁଛନ୍ତି କି ବାଟ ? ବର୍ତମାନ ବିଧାୟକ ପଦରେ ଥିବା ନେତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ମିଳିବା ନେଇ ପୂର୍ବରୁ ପିସିସି ସଭାପତି ଘୋଷଣା କରି ସାରିଥିବା ବେଳେ, କାହିଁକି ନବ ଦାସଙ୍କୁ ଏହି ମତାମତ କଂଗ୍ରେସର ଆବଶ୍ୟକତା ପଡୁଛି ତାକୁ ନେଇ ବି ଚର୍ଚ୍ଚା ଜୋରଧରିଛି । ନିକଟରେ ମଂଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ପ୍ରଶଂସା ଏବଂ ପରିବାର ସହ ଆସି ନବୀନଙ୍କ ସହ ଫେଟୋ ଉଠାଇବା ଘଟଣା, ନବଦାସଙ୍କ ଆଭିମୁଖ୍ୟକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଉଛି ।

ଏପଟେ ବିଜେଡିରୁ ବିଦା ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡ ମଧ୍ୟ, ବୁଲି ବୁଲି ଲୋକଙ୍କ ମତ ସଂଗ୍ରହ କରୁଛନ୍ତି । ଆଉ କୁହାଯାଉଛି ବୈଜୟନ୍ତ ବିଜେପି ଆଡକୁ ଢଳୁଛନ୍ତି । ବାଲିଗୁଡ଼ାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବୈଜୟନ୍ତ କହିଛନ୍ତି, ସେ ଅତିଶୀଘ୍ର ଚୁଡାନ୍ତ ନିଷ୍ପତି ନେବେ । ନବ ଦାସ ଏବଂ ବୈଜୟନ୍ତ ପଣ୍ଡାଙ୍କ ଏହି ଜନମତ ତଥା କର୍ମୀଙ୍କ ମତ ସଂଗ୍ରହ ଦେଖିଲା ବେଳକୁ ଗୋଟିଏ କଥା ମନକୁ ଆସୁଛି । କେଉଁ ଦଳର ସାମିଲ ହେବେ ତାକୁ ନେଇ ଯେମିତି ବୁଲି ବୁଲି ମତ ନେଉଛନ୍ତି, ସେମିତି ବିକାଶ କାମ ପାଇଁ ଆମ ନେତା ଲୋକଙ୍କ ପାଇଁ କେବେ ମତ ସଂଗ୍ରହ କରିବେ କି ?