ବିକ୍ରି ହୋଇଗଲା ହରଲିକ୍ସ ! ୩୧,୭୦୦ କୋଟି ଟଙ୍କାରେ କିଣିଲା ହିନ୍ଦୁସ୍ତାନ ୟୁନିଲିଭର କମ୍ପାନି 

2,383

୧୦୦ ବର୍ଷ ଧରି ଦେଶର ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନିକୁ ଦେଶର ସବୁଠୁ ବଡ କଞ୍ଜ୍ୟୁମର କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) କିଣି ନେଇଛି । ସୋମବାର ଏଚୟୁଏଲ କମ୍ପାନିରେ ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନି ଗ୍ଲାସୋସ୍ମିଥକ୍ଲାଇନ(ଜିଏସକେ) କମ୍ପାନିର ବିଲୟ ହୋଇଛି । ଆଉ ଏହି ପୂରା ଡିଲର ମୂଲ୍ୟ ରହିଛି ୩୧,୭୦୦ କୋଟି ଟଙ୍କା । ଅଥାର୍ତ ଭାରତରେ ଜିଏସକେ କମ୍ପାନିକୁ ନିଜ କମ୍ପାନିରେ ବିଲୟ କରିବାକୁ ଏଚୟୁଏଲ ୩୧, ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

କେବଳ ହରଲିକ୍ସ ନୁହେଁ ବରଂ ଜିଏସକେର ନ୍ୟୁଟ୍ରିସନ ବ୍ୟବସାୟ ସହ ସେନସୋଡାଇନ, ଇନୋ, କ୍ରୋସିନ ସମେତ ଅନ୍ୟ ବ୍ୟବସାୟର ଭାର ଏବେ ଏଚୟୁଏଲ ହାତକୁ ଆସିଛି । ହରଲିକ୍ସ ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୯୧୮) ପରେ ବିଟ୍ରିଶ ଆର୍ମି ସହ ଭାରତରେ ଏଣ୍ଟ୍ରି ମାରିଥିଲା । ଖାସକରି ବ୍ରିଟିଶ ଆର୍ମିରେ କାମ କରୁଥିବା ଭାରତୀୟ ସୈନିକଙ୍କୁ ପ୍ରୋଟିନ ଭାବେ ଦିଆଯାଉଥିଲା ।  ସେତେବେଳେ ଧନୀକ ବର୍ଗର ବ୍ୟକ୍ତି ମାନେ ହରଲିକ୍ସ ଖାଉଥିଲେ । କିନ୍ତୁ ଭାରତ ସ୍ୱାଧୀନତା ହାସଲ କରିବା ପରେ ହରିଲିକ୍ସ ନିଜର ମାର୍କେଟିଙ୍ଗ ଷ୍ଟ୍ରାଟେଜି ବଦଳାଇଥିଲା ।

କେବଳ ଧନୀକ ନୁହେଁ ବରଂ କିଭଳି ସମାଜର ସବୁ ବର୍ଗର ଲୋକ ହରଲିକ୍ସ ପାଇପାରିବେ ସେଥିପାଇଁ ନୂଆ ରୂପରେ ଉଭା ହୋଇଥିଲା । ଖାସକରି ଶିଶୁ ମାନଙ୍କର ଗ୍ରୋଥ ଓ ପୋଷଣ ଡ୍ରିଙ୍କ୍ ଭାବେ ହରଲିକ୍ସ ନୂଆ ରୂପରେ ବଜାରକୁ ପ୍ରବେଶ କରିଥିଲା ।  ତେବେ ୟୁନିଲିଭର ଓ ଜିଏସକେ ମଧ୍ୟରେ ହୋଇଥିବା ଡିଲ କେବଳ ଭାରତ ମଧ୍ୟରେ ସୀମିତ ରହିବ ।  ଏହାର ପ୍ରଭାବ ଇଂଲଣ୍ଡରେ ଥିବା ଜିଏସକେର ମୂଳ କମ୍ପାନିର ବ୍ୟବସାୟକୁ ପ୍ରଭାବିତ କରିବ ନାହିଁ । ଇଂଲଣ୍ଡରେ ହରଲିକ୍ସର ମାଲିକାନାସ୍ୱତ ଜିଏସକେ କମ୍ପାନି ପାଖରେ ହିଁ ରହିବ ।