ଜଗନ୍ନାଥ ମନ୍ଦିରରେ ବୋମା ପକାଇବାକୁ ଜେଲରେ ବ୍ଲୁ ପ୍ରିଂଟ୍ !

48

କନକ ବ୍ୟୁରୋ : କଟକରେ ଏକ ଜଗନ୍ନାଥ ମନ୍ଦିରରେ ବୋମାମାଡ ଯୋଜନାକୁ ଭଣ୍ଡୁର କରିଛି ପୋଲିସ । ବୋମା ପକାଇବାକୁ ଆସିଥିବା ଯୁବକଙ୍କୁ କାବୁ କରିବା ସହ, ବୋମା ଯୋଗାଇଥିବା ଅପରାଧୀକୁ ଏନକାଉଂଟର କରିଛି କମିଶନରେଟ ପୋଲିସ । ହେଲେ ଅପରାଧୀଙ୍କୁ ଜେରାବେଳେ ପୋଲିସକୁ ମିଳିଛି ସାଂଘାତିକ ତଥ୍ୟ । ଜଗନ୍ନାଥ ମନ୍ଦିର ଉପରେ ବୋମା ଫିଙ୍ଗିବାକୁ ଜେଲରେ ରହି ଯୋଜନା କରିଥିଲା ଜଣେ ଅପରାଧୀ । ଆଉ ଦାଦାବଟି ଆଦାୟକୁ କେନ୍ଦ୍ରକରି ଏହି ଯୋଜନା କରାଯାଇଥିବା ପୋଲିସ ସୂଚନା ଦେଇଛି ।

vlcsnap-2017-08-16-20h38m12s035କଟକ ମର୍କତନଗର ସେକ୍ଟର-୬ର ଜଗନ୍ନାଥ ମନ୍ଦିର । ଏହି ଶାନ୍ତ ପରିବେଶରେ ଅଶାନ୍ତି ସୃଷ୍ଟି କରିବାକୁ ଜେଲରେ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଂଟ । ବୋମାମାଡ କରିବାକୁ ଜେଲ ହାଜତରେ ରହି ନିର୍ଦ୍ଦେଶ ଦେଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁଆ । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ କମିଶନରେଟ ପୋଲିସର ନିଦ ହଜିଯାଇଛି । କାରଣ ଭାଇଚାରାର ସହର କଟକରେ ସାଂପ୍ରଦାୟିକ ସଦଭାବନା ବଜାୟ ରଖିବା ପୋଲିସ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ।

ଲିଟୁଆ ଇସାରାରେ ମର୍କତନଗରରେ ଥିବା ଏହି ଜଗନ୍ନାଥ ମନ୍ଦିରରେ ବୋମା ପକାଇବାକୁ ଆସିଥିଲେ ଦୁଇଜଣ ଯୁବକ । ହେଲେ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଭଣ୍ଡୁର କରିଦେଇଥିଲା ପୋଲିସ । ଜଣେ ଯୁବକ ଲିଙ୍ଗରାଜ ଦାସକୁ ପୋଲିସ କାବୁ କରିଥିବାବେଳେ ଖସି ଯାଇଥିଲା ଅନ୍ୟଜଣେ ଯୁବକ । ଲିଙ୍ଗରାଜ ନିକଟରୁ ଗୋଟିଏ ବୋମା ଜବତ ହୋଇଥିବାବେଳେ ତା ନିକଟରୁ ମିଳିଥିଲା ଆଉଜଣେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁନାଥ ଦାସ ଓରଫ ରଘୁଆର ସୁରାକ । ଆଉ ରଘୁଆକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଆଉ ଗତକାଲି ରାତିରେ ସେକ୍ଟର-୧୦ ଜଷ୍ଟିସଗଡା ନିକଟରେ ରଘୁଆକୁ ଏନକାଉଂଟର କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ତା ଗୋଡରେ ଗୁଳି ବାଜିଥିବାବେଳେ ଏସବିବି ମେଡିକାଲରେ ରଖି ଚିକିତ୍ସା କରାଯାଉଛି । ତା ପାଖରୁ ବୋମା, ବନ୍ଦୁକ ଓ ଗୁଳି ମଧ୍ୟ ଜବତ ହୋଇଛି ।

ମର୍କତନଗରରେ ଥିବା ଏହି ଜଗନ୍ନାଥ ମନ୍ଦିର ଓ ଏହା ପରିସରରେ ଥିବା ଭୋଗ ଦୋକାନରୁ ଦାଦା ବଟି ମାଗି ଅସଫଳ ହେବା ପରେ ଏହି ବୋମାମାଡ ଯୋଜନା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଧର୍ମାନୁଷ୍ଠାନରେ ବୋମାମାଡ ପାଇଁ ଜେଲ ଭିତରେ ରହି ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଯୋଜନା ପୋଲିସ ପାଇଁ ସବୁଠାରୁ ଚିନ୍ତାର ବିଶୟ ହୋଇଛି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଠାବ କରିବା ପାଇଁ ପୋଲିସ ତନାଘନା ଚଳାଇଛି ।