ତେଲ ବଜାରରେ ନିଆଁ ।ବ୍ୟାରେଲ ପିଛା ବଢିଲା ୧୨ ଡଲାର, ୬ ଟଙ୍କା ବଢିପାରେ ତୈଳ ଦର

600

କନକ ବ୍ୟୁରୋ : ସାଉଦି ଆରବ ତେଲ କାରଖାନାରେ ଡ୍ରୋନ୍ ଆକ୍ରମଣ ପରେ ଆନ୍ତର୍ଜାତିକ ତେଲ ବଜାରରେ ନିଆଁ ଲାଗିଛି। ଗୋଟିଏ ଦିନରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ୧୨ ଡଲାର ବୃଦ୍ଧି ପାଇ ୭୨ ଡଲାରରେ ପହଂଚିଛି। ତେଲକୁ ନେଇ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହାର କିଭଳି ମୁକାବିଲା କରାଯିବ ସେନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଅଭିବୃଦ୍ଧି ହାର ଏବଂ ମାନ୍ଦାବସ୍ଥାର ମୁକାବିଲାରେ ସରକାରୀ ବ୍ୟବସ୍ଥା ଲାଗିଥିବା ବେଳେ ତେଲ ସଙ୍କଟ ନୂଆ ସମସ୍ୟା ସୃଷ୍ଟି କରିଛି। ନିଜର ଆବଶ୍ୟକତା ପୂରଣ ପାଇଁ ୮୩% ତେଲ ଆମଦାନୀ କରୁଥିବା ଭାରତ ଏବେ ଅଡ଼ୁଆରେ ପଡ଼ିଯାଇଛି।

ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆବରର ତେଲ ଉତ୍ପାଦନ ଅଧା ବନ୍ଦ ହୋଇଯାଇଛି। ସେଠାରେ ସ୍ଥିତି ସୁଧୁରିବାକୁ ମାସେ ସମୟ ଲାଗିପାରେ। ସାଉଦିଠାରୁ ଭାରତ ଦ୍ବିତୀୟ ସର୍ବାଧିକ ତେଲ କିଣୁଥିବାରୁ ଏହା ସବୁଠୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ଭାବ୍ୟ ସଙ୍କଟର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ କରିବା ଲାଗି ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ସ୍ଥିତିର ସମୀକ୍ଷା କରିଛନ୍ତି। ତେଲ କଂପାନିଗୁଡ଼ିକ ପାଖରେ କେତେ ତେଲ ରହିଛି ତାହାର ମଧ୍ୟ ସମୀକ୍ଷା କରାଯାଇଛି। ସାଉଦି ଆରବର ସ୍ଥିତି ଜାଣିବା ଲାଗି ରିୟାଧରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ‘ସାଉଦି ଆମାର୍କୋ’ କଂପାନି ସହ ଯୋଗାଯୋଗ କରିଛନ୍ତି।  କ୍ଷତିଗ୍ରସ୍ତ ହୋଇଥିବା ଦୁଇ କାରଖାନାରେ କେବେ ସ୍ବାଭାବିକ ସ୍ଥିତି ଫେରିବ ତାହାକୁ ନେଇ ସାଉଦି କର୍ତ୍ତୃପକ୍ଷ କୌଣସି ନିର୍ଦିଷ୍ଟ ପ୍ରତିଶ୍ରୁତି ଦେଉନଥିବା ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି।

ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ଯେ, ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କାରଖାନାରେ ସ୍ଥିତି ସ୍ବାଭାବିକ ହେବାକୁ ମାସେରୁ ଅଧିକ ସମୟ ଲାଗିଯିବ। ତେବେ ତେଲ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ସାଉଦି ଆରବ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଆଜି ୧୦% ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ ୫ରୁ ୬ ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।  ହିନ୍ଦୁସ୍ତାନ ପେଟ୍ରୋଲିୟମ ଅଧ୍ୟକ୍ଷ ଏମ୍ କେ ସୁରାନା କହିଛନ୍ତି ଯେ, ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିବ ତେବେ ପେଟ୍ରୋଲ୍ ପମ୍ପରେ ବିକ୍ରି ହେଉଥିବା ତେଲ ଦାମ୍ ବଢ଼ିଯିବ। ତେଲ କଂପାନିଗୁଡ଼ିକ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲର ନୂତନ ଦର ନିର୍ଧାରଣ କରୁଥିବାରୁ ଆନ୍ତର୍ଜାତିକ ବଜାରରେ ଦର ବୃଦ୍ଧିର ପ୍ରଭାବ ପେଟ୍ରୋଲର ଖୁଚୁରା ଦରରେ ଶୀଘ୍ର ପ୍ରତିଫଳିତ ହେବ।

ସୂଚନାଯୋଗ୍ୟ ଯେ ସାଉଦି ବିଶ୍ବର ପ୍ରମୁଖ ତେଲ ଯୋଗାଣକାରୀ ଦେଶ ହୋଇଥିବାରୁ ଏହା ଉପରେ ଅନେକ ଦେଶ ନିର୍ଭର କରୁଛନ୍ତି। ସାଉଦି ତେଲ କାରଖାନାରେ ଡ୍ରୋନ୍ ଆକ୍ରମଣ ଆନ୍ତର୍ଜାତିକ ତେଲ ବଜାରକୁ ଦୋହଲାଇ ଦେଇଛି। ବଜାର ଖୋଲିବା ମାତ୍ରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୨ ଡଲାର ବଢ଼ିଯାଇଥିଲା। ବ୍ୟାରେଲ ପିଛା ଦର ୭୨ ଡଲାର ପାଖାପାଖି ପହଞ୍ଚିଯାଇଛି। ଗତକାଲି ତେଲ ଦର ୬୦ ଡଲାର ପାଖାପାଖି ଥିଲା।