କନକ ବ୍ୟୁରୋ : ଦଳ ପାଇଁ କୋଟି କୋଟି ଟଙ୍କା ଚାନ୍ଦା ନେଉଛନ୍ତି ରାଜନୈତିକ ଦଳ। ହେଲେ ନିର୍ବାଚନ କମିସନଙ୍କୁ ଦାନ ପ୍ରଦାନକାରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଉନାହାନ୍ତି । ଦାନ ଗ୍ରହଣ କରି ତଥ୍ୟ ଲୁଚାଇବାରେ ଉଦାହରଣ ସୃଷ୍ଟି କରିଛନ୍ତି ଜାତୀୟ ଦଳ। ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରିଫର୍ମ୍ସ ବା ଏଡିଆର୍ ରିପୋର୍ଟ ହିଁ ଏମିତି ସୂଚନା ଦେଉଛି । ଚାନ୍ଦା ଦେଉଥିବା ବ୍ୟକ୍ତି ସମ୍ପର୍କରେ ତଥ୍ୟ ଲୁଚାଇବାରେ ସବୁଠୁ ଆଗରେ ଭାରତୀୟ ଜନତା ପାର୍ଟି ରହିଛି। ୨୦୧୨-୧୩ରୁ ୨୦୧୭-୧୮ ଭିତରେ ଦେଶର ୬ଟି ଜାତୀୟ ରାଜନୈତିକ ଦଳ ଚାନ୍ଦା ବାବଦରେ ଗ୍ରହଣ କରିଥିବା ୪୫୩ କୋଟି ୬୧ ଲକ୍ଷ ଟଙ୍କାର ଦାତାଙ୍କ ସମ୍ପର୍କରେ ନିର୍ବାଚନ କମିସନଙ୍କୁ ତଥ୍ୟ ଦେଇପାରିନାହାନ୍ତି।
ଏଡିଆର ଜାରି କରିଥିବା ପ୍ରେସ୍ ଇସ୍ତାହାର ଅନୁଯାୟୀ, ୨୦୧୨-୧୩ରୁ ୨୦୧୭-୧୮ ଭିତରେ ବିଜେପି, ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ୍, ଏନସିପି, ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ, ବିଏସପି ସମେତ ଅନ୍ୟ ଜାତୀୟ ସ୍ତରରେ ରାଜନୈତିକ ଦଳ ୨ ହଜାର ୧୪୦ କୋଟି ୩୬ ଲକ୍ଷ ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି। ୨୦୧୩ ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ମୁତାବକ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଗ୍ରହଣ କରୁଥିବା ପ୍ରତ୍ୟେକ ରାଜନୈତିକ ଦଳ ପ୍ରତିବର୍ଷ ଦାନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସହ ନିର୍ବାଚନ କମିସନଙ୍କ ପାଖରେ ବିବରଣୀ ଦାଖଲ କରିବେ। ଏପ୍ରିଲ ପହିଲାରୁ ମାର୍ଚ୍ଚ ୩୧ ମଧ୍ୟରେ ଚାନ୍ଦା ପରିମାଣ ସହ ଦାତାଙ୍କ ପାନ୍ ନମ୍ବରର ବିଶଦ୍ ବିବରଣୀ ଫର୍ମ୍ ‘୨୪-ଏ’ ପ୍ରଦାନ କରିବାକୁ ନିର୍ବାଚନ କମିସନ ଧାର୍ଯ୍ୟ କରିଛନ୍ତି। ଫଳରେ ଚାନ୍ଦା ସମ୍ପର୍କରେ ତଥ୍ୟ ଦେଉଥିବା ରାଜନୈତିକ ଦଳ ଶତ ପ୍ରତିଶତ ଆୟକର ଛାଡ଼ ପାଇବାକୁ ଯୋଗ୍ୟ ହେବେ। ଭାରତୀୟ ଜନ ପ୍ରତିନିଧି ଆଇନ ୧୯୫୧ ଅନୁଯାୟୀ ରାଜନୈତିକ ଦଳମାନେ ବିଭିନ୍ନ ବ୍ୟକ୍ତିବିଶେଷ, କର୍ପୋରେଟ୍ ସଂସ୍ଥାଠାରୁ ଚାନ୍ଦା ଗ୍ରହଣ କରିବାକୁ ଯୋଗ୍ୟ ହୋଇଥିଲେ ବି ନିର୍ବାଚନ ରୁଲ ୧୯୬୧ ଅନୁଯାୟୀ ନିର୍ଦ୍ଧାରିତ ଫର୍ମରେ ଚାନ୍ଦା ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ନିର୍ବାଚନ କମିସନଙ୍କୁ ପ୍ରଦାନ କରିବେ।