ପୁଣି ଜମ୍ମୁ କଶ୍ମୀରର ପମ୍ପୋରରେ ଆତଙ୍କବାଦୀ ହମଲା : ଇଡିଆଇ ବିଲଡିଂ ଭିତରେ ଲୁଚି ରହିଛନ୍ତି ଆତଙ୍କବାଦୀ

27

କନକ ବ୍ୟୁରୋ : ୨୪ଘଂଟାରୁ ଅଧିକ ସମୟ ଧରି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଜମ୍ମୁ ଓ କଶ୍ମୀରର ପମ୍ପୋରରେ ଗତ ୨୪ଘଂଟାରୁ ଅଧିକ ଧରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସରକାରୀ ଇଡିଆଇ ବିଲଡିଂରେ ୨ରୁ ୩ ଆତଙ୍କବାଦୀ ଲୁଚି ରହି ଗୁଳି କରୁଛନ୍ତି  । ସୁରକ୍ଷାକର୍ମୀ ଏହାର କଡା ଯବାବ ଦେଉଛନ୍ତି । ଗୁଳି ବିନିମୟରେ ୨ଜଣ ଯବାନ ଆହତ ହୋଇଛନ୍ତି  ।

ଗତରାତି ତମାମ ଚାଲିଥିଲା ଗୁଳି ବିନିମୟ । ତେବେ ଇଡିଆଇ ବିଲ୍ଡିଂରେ କେତେଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ୨ରୁ ୩ଜଣ ଆତଙ୍କବାଦୀ ଥିବା ଆଶଙ୍କା କରାଯାଉଛି । ବିଲ୍ଡିଂରୁ ଲଗାତାର ଭାବେ ଧୂଆଁ ବାହାରୁଥିବାର ଦେଖିବାକୁ ମିଳୁଛି । ଏପରିକି ୭ମହଲା କୋଠାର ଗୋଟିଏ ମହଲା ସମ୍ପୂର୍ଣ୍ଣ ପୋଡି ଯାଇଛି  ।

ଗତ ଫେବୃଆରୀରେ ଇଡିଆଇର ଏହି କୋଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପୁଣି ଏହି କୋଠାକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଜମ୍ମୁ ଓ କଶ୍ମୀରରେ ପରିସ୍ଥିତି ଅଶାନ୍ତ ରହୁଥିବାରୁ ଏହି ବିଲ୍ଡିଂକୁ ବନ୍ଦ ରହିଥିଲା । ଇଡିଆଇର ହୋଷ୍ଟେଲ ଭାବେ ଏହି ୭ମହଲା କୋଠାକୁ ପୂର୍ବରୁ ବ୍ୟବହାର କରାଯାଉଥିଲା । ଏହି କୋଠାରେ ୬୦ଟି କୋଠରୀ ରହିଥିବାବେଳେ ସେଠାରେ ହିଁ ଛୁପି ରହିଛନ୍ତି ଆତଙ୍କବାଦୀ । ଇଡିଆଇ ବିଲ୍ଡିଂକୁ ନିକଟରେ ଥିବା ଶାଲିନ ଗାଁରୁ ଆତଙ୍କବାଦୀ ଏଠାରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ଏହାସହ ଝେଲମ ନଦୀ ରାସ୍ତା ଦେଇ ଆତଙ୍କୀ ଭାରତରେ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି  ।