ରୋମାଣ୍ଟିକ ସିନ ପାଇଁ ବିବାଦରେ ଫିଲ୍ମ ‘ପଦ୍ମାବତୀ’ ! ଫିଲ୍ମ ରିଲିଜ କରାଇ ନ ଦେବାକୁ ଜିଦ୍ ଧରିଛି ରାଜପୁତ ସମାଜ, ବାଦ ବିବାଦ ସତ୍ତେ୍ୱ ରିଲିଜ ହେଲା ପଦ୍ମାବତୀର ଦ୍ୱିତୀୟ ଗୀତ

117

ସଂଜୟ ଲୀଳା ବଂଶାଲୀଙ୍କ ଅପକମିଂ ଚଳଚିତ୍ର ପଦ୍ମାବତୀକୁ ବିବାଦ ଥମିବାର ନାଁ ନେଉନି । ଏହି ଫିଲ୍ମକୁ ନେଇ ଚିତୋରଗଡ଼ରୁ ଅହମଦାବାଦ ପର୍ଯ୍ୟନ୍ତ ସବୁଠି ଉଠିଛି ବିରୋଧର ସ୍ୱର । ରାଜପୁତ ସମାଜ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଜିଦ ଧରି ବସିଛନ୍ତି । ଐତିହାସିକମାନେ ମତ ଦେଇଛନ୍ତି ଯେ ଲୋକଙ୍କ ଭାବାବେଗ ବିରୋଧରେ କାଳ୍ପନିକ କାହାଣୀ ପ୍ରସ୍ତୁତ କରିବା ଉଚିତ ନୁହେଁ । ତେବେ ଏହି ବାଦ ବିବାଦ ଭିତରେ ରିଲିଜ ହୋଇଛି ପଦ୍ମାବତୀ ଫିଲ୍ମର ଦ୍ୱିତୀୟ ଗୀତ ।

ସଂଜୟ ଲୀଳା ବଂଶାଲୀଙ୍କ ବହୁ ଚର୍ଚ୍ଚିତ ପଦ୍ମାବତୀକୁ ନେଇ ଥମୁନି ବିବାଦ । ସୁରତରେ ପଦ୍ମାବତୀ ବିରୋଧରେ ରାଜପୁତ କମ୍ୟୁନିଟି, ବିଶ୍ୱ ହିନ୍ଦୁ ପରିଷଦ, ଓ ବଜରଙ୍ଗ ଦଳ ବଡ ଧରଣର ବିକ୍ଷୋଭ କରିଛି । ୫ହଜାର ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ଫିଲ୍ମ ବିରୋଧରେ ବିରାଟ ରାଲି କରିଛନ୍ତି । ସେହିପରି ରାଜସ୍ଥାନ ଓ ମୁମ୍ବାଇରେ ମଧ୍ୟ ଜୋରଦାର ପ୍ରଦର୍ଶନ କରାଯାଇଛି । ଏଥିସହ ନଭେମ୍ବର ୧୭ରେ ରାଜସ୍ଥାନ ଚିତୋଡ ଦୁର୍ଗ ବନ୍ଦ ପାଇଁ ଧମକ ଦେଇଛି ରାଜସ୍ଥାନ ରାଜପୁତ ସଂଗଠନ । ଅନ୍ୟପଟେ ଜୟପୁର ରାଜପୁତ ପରିବାର ଫିଲ୍ମ ବିରୋଧରେ ସିଗନେଚର କ୍ୟାମ୍ପେନ ଆରମ୍ଭ କରିଛନ୍ତି ।

ଏହି ଚଳଚିତ୍ରରେ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ପଦ୍ମାବତୀ ମଧ୍ୟରେ ଏକ ରୋମାଂଟିକ୍ ସିନକୁ ନେଇ ବିବାଦ ଉପୁଜିଛି । ରାଜପୁତ ସଂଗଠନ କହୁଛନ୍ତି, ଏହି ଚଳଚିତ୍ରରେ ରାଣୀ ପଦ୍ମାବତୀଙ୍କ ସହ ଆକ୍ରମଣକାରୀ ଆଲାଉଦ୍ଦିନ ଖିଲଜିର ଏକ ଉଦ୍ଭଟ ସିନ୍ ରହିଛି । ଯେଉଁଥିରେ ପଦ୍ମାବତୀଙ୍କ ସହ ଆଲାଉଦ୍ଦିନ ଖିଲିଜ ସ୍ୱପ୍ନରେ ରୋମାନ୍ସ କରୁଛନ୍ତି । ଚିତୋରର ରାଣୀ ପଦ୍ମାବତୀଙ୍କୁ ରାଜପୁତମାନେ ଦେବୀ ଭଳି ମାନୁଥିବା ବେଳେ ସଂଜୟ ଲୀଳା ବଂଶାଲୀଙ୍କ ଏଭଳି କାଳ୍ପନିକ ଚିତ୍ରନାଟ୍ୟକୁ ବରଦାସ୍ତ କରିପାରୁନାହାନ୍ତି ରାଜପୁତ ସଂପ୍ରଦାୟ । ଐତିହାସିକମାନେ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।

ସେପଟେ ଏହି ବିବାଦ ଭିତରେ ରିଲିଜ ହୋଇଛି ପଦ୍ମାବତୀ ଫିଲ୍ମର ଦ୍ୱିତୀୟ ଗୀତ । ଏହି ଗୀତର ଟାଇଟେଲ ରହିଛି ‘ଏକ ଦିଲ ଏକ ଜାନ’ । ଏହି ଗୀତରେ ରାଣୀ ପଦ୍ମିନୀ, ରାଜା ରାୱଲ ରତନ ସିଂଙ୍କ ପ୍ରେମ କାହାଣୀକୁ ଦେଖିବାକୁ ପାଇବେ ଦର୍ଶକ । ଏହି ଗୀତରେ ସୁନ୍ଦର ଅଭିନୟ କରିଛନ୍ତି ଦୀପିକା ଓ ସାହିଦ । ଏହି ଚଳଚିତ୍ର ଡିସେମ୍ବର ୧ରେ ରିଲିଜ ହେବା ସମ୍ଭାବନା ରହିଛି ।