ଓଲିଉଡ୍ କରିବ ପଂଚାୟତ ପ୍ରଚାର ! ଘର ଘର ବୁଲି ଭୋଟ ମାଗିବେ ଫିଲ୍ମ ଷ୍ଟାର୍

47

କନକ ବ୍ୟୁରୋ : ପଂଚାୟତ ପାଇଁ ଓଲିଉଡ୍ ଛାଡି ଗାଁରେ ସେଲିବ୍ରିଟି । ପ୍ରଚାର ମୈଦାନକୁ ଓହ୍ଲାଇବେ ରୂପେଲି ପରଦାର ବଡ ତାରକା । ଏଥର ଗାଁ ଭୋଟରଙ୍କ ମନ ଜିଣିବେ ଫିଲ୍ମ ତାରକା । ଗାଁ ଗାଁ ଯାଇ ଲୋକଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଏହି ସିନେ ଷ୍ଟାର । ପଂଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ନବୀନଙ୍କ ଟିମରେ ଏଥର ଷ୍ଟାରଙ୍କ ଭିଡ ।

ବିଜେଡି ଘୋଷଣା କରିଥିବା ଏହି ଷ୍ଟାର ପ୍ରଚାରକଙ୍କ ୪୦ ଜଣିଆ ତାଲିକାରେ ସାମିଲ ହୋଇଛନ୍ତି ୧୦ ଜଣ ଫିଲ୍ମ ତାରକା । ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟଙ୍କଠାରୁ ଆରମ୍ଭ କରି ମିହିର ଦାସ, ଅରିନ୍ଦମ ରୟଙ୍କ ପର୍ଯ୍ୟନ୍ତ । ବିଜେଡି ସପକ୍ଷରେ ପ୍ରଚାର କରିବ ଓଲିଉଡର ଏକ ବଡ ଟିମ୍ । ଷ୍ଟାର କ୍ୟାମ୍ପେନରଙ୍କ ତାଲିକାର ଶୀର୍ଷରେ ସୁପ୍ରିମୋ ଥିବା ବେଳେ ୨ୟ ସ୍ଥାନରେ ଅଛନ୍ତି ବରିଷ୍ଠମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ।

ଏପଟେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ । ସିନେ ତାରକାଙ୍କ ଅପେକ୍ଷା ଷ୍ଟାର ନେତାଙ୍କ ଅଧିକ ଗୁରୁତ୍ୱ ଦେଖିବାକୁ ମିଳିଛି ବିଜେପି କ୍ୟାମ୍ପରେ । ଓଲିଉଡ ତାରକା ଶ୍ରୀତମ ଦାସ ଏବଂ ପିଙ୍କି ପ୍ରଧାନ ଷ୍ଟାର କ୍ୟାମ୍ପେନରଙ୍କ ତାଲିକାରେ ସ୍ଥାନ ପାଇଥିଲେ ବି, ଅଭିନେତାଙ୍କ ଅପେକ୍ଷା ନେତାଙ୍କ ଉପରେ ଅଧିକ ଭରସା ରଖିଛି ବିଜେପି । ତେବେ ବିଜେପି ପ୍ରକାଶ କରିଥିବା ୪୦ ଜଣ ଷ୍ଟାର କ୍ୟାମ୍ପେନରଙ୍କ ତାଲିକାରୁ ବାଦ୍ ପଡ଼ିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଳୀପ ରାୟ ।

ଏପଟେ ଆଜିଠାରୁ ଆରମ୍ଭ ହୋଇଛି ପଂଚାୟତ ନିର୍ବାଚନର ନାମାଙ୍କନ ପର୍ବ । ବିଜେପିରେ ୯୦ ପ୍ରତିଶତ ଜିଲ୍ଲା ପରିଷଦ ଟିକେଟ ବଂଟା ସରିଥିବା ବେଳେ ବିଜେଡି ପକ୍ଷରୁ ୨୦ ପ୍ରତିଶତ ଜିଲ୍ଲା ପରିଷଦ ପ୍ରାର୍ଥୀ ଟିକେଟ ବଂଟା ଯାଇଥିବା ସୂଚନା ଦିଆଯାଇଛି ।