ଧୀରେ ଧୀରେ ଅଣାୟତ ହେଉଛି ସ୍ୱାଇନ୍ ଫ୍ଲୁ ! ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ଛୁଇଁଲା

34

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସ୍ୱାଇନ୍-ଫ୍ଲୁ ରୋଗୀଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ୪୬ଜଣ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୨୭ଜଣ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଗୋଟିଏ ଦିନରେ ୧୨ଜଣ ଚିହ୍ନଟ ହୋଇଛନ୍ତି ।

୨୯ଟି ରକ୍ତ ନମୁନା ଯାଂଚରୁ ୧୨ଟି ପଜିଟିଭ୍ ବାହାରିଛି । ଅଧିକାଂଶ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨,ସମ୍ବଲପୁର ଓ ସୁନ୍ଦରଗଡରେ ଜଣେ ଲେଖାଏଁ ରହିଛନ୍ତି ।

ସୂଚନା ଅନୁସାରେ, ଗତ ଜାନୁଆରି ମାସରୁ ଜୁଲାଇ ମାସ ମଧ୍ୟରେ ରାଜ୍ୟରେ ୭ ଜଣ ସ୍ୱାଇନ୍ ଫ୍ଲୁ’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେବେ ଅଗଷ୍ଟ ମାସ ଆରମ୍ଭରୁ ଅଚାନକ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି । ଅଗଷ୍ଟ ୧ ତାରିଖରେ ଏକାବେଳକେ ୫ ଜଣ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ଏହା ପରଠାରୁ ପ୍ରତିଦିନ ସ୍ୱାଇନ୍ ଫ୍ଲୁ’ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି ଗତ ୫ ତାରିଖରେ ସ୍ୱାଇନ୍ ଫ୍ଲୁ’ରେ ଅନିଲ କୁମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ସୋମବାର ୨୯ଟି ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏଥିରୁ ୧୨ଟି ନମୁନା ସ୍ୱାଇନ୍ ଫ୍ଲୁ ପଜିଟିଭ୍ ଥିବା ଜଣାପଡ଼ିଛି । ଏଥିରେ ୫ଜଣ ପୁରୁଷ ରହିଥିବା ବେଳେ ୭ଜଣ ମହିଳା ରହିଛନ୍ତି । ଏଥିରୁ ଅଧିକାଂଶ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣେ କଟକର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୮ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ କଟକର ୨, ସମ୍ବଲପୁର ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ପୁରୁଷଙ୍କ ବୟସ ୫୬,୭୨, ୪୬, ୧୮ ଓ ୪୬ ହୋଇଥିବା ବେଳେ ମହିଳାଙ୍କ ବୟସ ୩୫, ୫୮, ୪୨, ୪୮, ୫୫, ୧୯ ଓ ୬୫ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଏ ପର୍ଯ୍ୟନ୍ତ ୨୦୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।