ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ମିଳିବ ଆର୍ଥିକ ସହାୟତା । ସଂସ୍କୃତି ବିଭାଗର ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

253

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ମିଳିବ ଆର୍ଥିକ ସହାୟତା । ଆର୍ଥିକ ଅନଟନରେ ଥିବା ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସଂସ୍କୃତି ବିଭାଗର ଏହି ପ୍ରସ୍ତାବ ଉପରେ ଆଜି ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଘୋଷଣା ଅନୁଯାୟୀ, ଆର୍ଥିକ ସ୍ୱଚ୍ଛଳ ନଥିବା ପଦ୍ମଶ୍ରୀ ବିଜେତାଙ୍କୁ ମାସିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ଏହାପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ବିଜେତା ଦୈତାରୀ ନାୟକଙ୍କ ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇଦେବାକୁ ଚାହିଁଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳୁନଥିବା ଅଭିଯୋଗ ହୋଇଥିଲା । ଏନେଇ କନକ ନ୍ୟୁଜରେ ପ୍ରଥମେ ଏହି ଖବର ପ୍ରସାରଣ କରାଯାଇଥିଲା । ତେବେ ଏହାପରେ ବିଭିନ୍ନ ଗଣମାଧ୍ୟମରେ ଦୈତାରୀଙ୍କ ଆର୍ଥିକ ସ୍ଥିତି ବାବଦରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲେ ସରକାର । ରାଜ୍ୟରେ ମୋଟ କେତେ ଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା ।

ଆଉ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସୂଚନା ଅନୁସାରେ ରାଜ୍ୟରେ ମୋଟ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଜଣାପଡିଥିଲା । ତେବେ ୮୪ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କର ଏବେ ସୁଦ୍ଧା ଦେହାନ୍ତ ହୋଇଛି । ତେବେ ବାକି ପଦ୍ମଶ୍ରୀ ବିଜେତାଙ୍କ ମଧ୍ୟରୁ ଆର୍ଥିକ ସ୍ୱଚ୍ଛଳ ନଥିବା ପଦ୍ମଶ୍ରୀ ବିଜେତାଙ୍କର ଦୈନନ୍ଦିନ ଭରଣପୋଷଣ ପାଇଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମୋହର ମାରିବା ପରେ ଦୈତାରୀ ନାୟକ, କମଳା ପୂଜାରୀ, ଜିତେନ୍ଦ୍ର ହରିପାଲ, ହଳଧର ନାଗଙ୍କ ଭଳି ପଦ୍ମଶ୍ରୀ ବିଜେତା ଆର୍ଥିକ ରୂପେ ଉପକୃତ ହୋଇପାରିବେ ।