ନିଦ ହଜାଇଲା ସଡ଼କ ଦୁର୍ଘଟଣା: ମଦୁଆ ଡ୍ରାଇଭିଂରେ ନମ୍ବର ୱାନ ଭୁବନେଶ୍ୱର, ଅଧିକ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ ବାସିନ୍ଦା

138

କନକ ବ୍ୟୁରୋ: ରାସ୍ତାରେ ଜଗିଛି ଯମ । ଦୁର୍ଘଟଣାରେ ଯାଉଛି ଜୀବନ । ରାଜ୍ୟରେ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଦିନକୁ ଦିନ ଦୁର୍ଘଟଣା କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଛି । ରାଜ୍ୟରେ ୨୦୧୯ ଜାନୁଆରୀରୁ ମେ’ ମଧ୍ୟରେ ୨୫୩୨ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଓଭର ସ୍ପିଡ୍ ଏବଂ ମଦ ପିଇ ଗାଡି ଚାଳନା । ପ୍ରାୟ ୬୫ ପ୍ରତିଶତ ଲୋକ ଦ୍ରୁତ ଗାଡି ଚଳାଇ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ୧୧ ପ୍ରତିଶତ ହେଉଛି ମଦ ପିଇ ଗାଡି ଚାଳନା କାରଣରୁ ।

ଓଭର ସ୍ପିଡ୍ ଏବଂ ଡ୍ରଙ୍କେନ୍ ଡ୍ରାଇଭ୍ ପରେ ଗାଡି ଚଳାଇବା ସମୟରେ ଫୋନରେ କଥା ହେବା ଯୋଗୁଁ ମଧ୍ୟ ଅଧିକ ଦୁର୍ଘଟଣା ଘଟିଛି । ସମୁଦାୟ ଦୁର୍ଘଟଣାର ଏହା ୫ ପ୍ରତିଶତ । ୨୦୧୭ରେ ଓଡିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହେଉଛି ୪୭୯୦ । ୨୦୧୮ରେ ୫୩୧୫ ଜଣ ମୃତ୍ୟୁ ହୋଇଛି । ଓଡିଶାରେ ସବୁଠୁ ଅଧିକ ଦୁର୍ଘଟଣାପ୍ରବଣ ଅଂଚଳ ହେଉଛି ଗଂଜାମ, ସୁନ୍ଦରଗଡ, ଖୋର୍ଦ୍ଧା, ମୟୂରଭଂଜ, କେନ୍ଦୁଝର ଓ କଟକ ।

ମଦୁଆ ଡ୍ରାଇଭିଂରେ ନମ୍ବର ୱାନ ହେଉଛି ଭୁବନେଶ୍ୱର । ୨୦୧୯ ଜାନୁୟାରୀରୁ ଜୁନ ମାସ ମଧ୍ୟରେ ୧୩୨୦ ଜଣ ମଦୁଆ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଛି । ଯାହା ସାରା ରାଜ୍ୟରେ ରେକର୍ଡ । ସେହିପରି ଭୁବନେଶ୍ୱରରେ ବିନା ହେଲମେଟରେ ୮୧୦୦ ଜଣ ଗାଡି ଚାଳକଙ୍କୁ ଚିହ୍ନଟ କରାଯାଇଛି । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସଡକ ଦୁର୍ଘଟଣା ରୋକିବାକୁ ଚେକିଂ , ବ୍ଲକିଂ ସହ ବିଭିନ୍ନ ସ୍ଥାନରେ କଡା ପ୍ରହରା କରିଥାନ୍ତି ଟ୍ରାଫିକ ପୋଲିସ ।  କିନ୍ତୁ ଫଳ ଶୂନ

ଏହାରିମଧ୍ୟରେ ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା ଅଣାଯାଇଛି । ହିଟ୍ ଆଣ୍ଡ ରନ୍ କେସ୍ରେ ଗୁରୁତର ଆହତଙ୍କୁ ୫୦ ହଜାର ଓ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ସରକାର ।