ଆଉନାହାନ୍ତି ଅଭିନେତ୍ରୀ ରାଜେଶ୍ୱରୀ ରାୟ : ଟେଲି ଓ ଓଲିଉଡ୍ ଜଗତରେ ଶୋକର ଛାୟା

533

କନକ ବ୍ୟୁରୋ : ଓଡ଼ିଆ ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ । ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନସରରେ ପୀଡ଼ିତ ହେବା ପରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଜେଶ୍ୱରୀ । ଟେଲି ଜଗତରେ ନିଜର ଖଳନାୟିକା ଅଭିନୟ ପାଇଁ ରାଜେଶ୍ୱରୀ ପ୍ରଶଂସା ସାଉଁଟିଛନ୍ତି । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିଏଲ ପ୍ରେମୀଙ୍କ ନିକଟରେ ସେ ବେଶ୍ ପରିଚିତ ଥିଲେ ।

ଟିଭି ପରଦାରେ ନିଜ ଅଭିନୟ ଦ୍ୱାରା କେତେବେଳେ ଲୋକଙ୍କୁ ହସାଇଛନ୍ତି ତ କେତେକେଳେ କନ୍ଦାଇଛନ୍ତି । ହେଲେ ତାଙ୍କ ଅଭିନୟ କ୍ୟାରିୟରରେ ଗ୍ରହଣ ଲଗାଇଥିଲା କ୍ୟାନସର । ରାଜେଶ୍ୱରୀ ବ୍ରେନ୍ ଓ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଥିଲେ । କିଛି ଦିନ ତଳେ ସୁସ୍ଥ ମଧ୍ୟ ହୋଇସାରିଥିଲେ । କିନ୍ତୁ ପୁଣିଥରେ ତାଙ୍କର ଏହି ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସିତ ହେଉଥିଲେ । ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ । ଏହା ପରେ ତାଙ୍କୁ ସିରିଏଲରେ ଖଳନାୟିକା ଭୂମିକାରେ ବ୍ରେକ୍ ମିଳିଥିଲା ।

ସେ କିଛି ସିନେମାରେ ମଧ୍ୟ କାମ କରିଛନ୍ତି । ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ ଥିଲା । ଏହା ପରେ ସେ ‘ଆରେ ସାଥୀ ଆ’, ବ୍ଲାକମେଲ୍ ଭଳି ଫିଲ୍ମରେ କାମ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ମଧ୍ୟରେ ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’ ଓ ‘କୁମକୁମ୍’ ରହିଛି । ରାଜେଶ୍ୱରୀଙ୍କ ପରଲୋକରେ ଟେଲି ଓ ଓଲିଉଡ୍ ଜଗତରେ ଶୋକ ଖେଳିଯାଇଛି ।