ଭାରତକୁ ବଡ ଝଟକା : ଡୋପ ଟେଷ୍ଟରେ ଧରାପଡି ଆଉଟ ହେଲେ ଆଥଲେଟ୍ ଧନଲକ୍ଷ୍ମୀ ସେକର ଓ ଐଶ୍ୱର୍ଯ୍ୟା ବାବୁ

156

କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ପୂର୍ବରୁ ଭାରତକୁ ବଡ଼ ଝଟକା । ଭାରତୀୟ ଷ୍ଟାର ସ୍ପ୍ରିଂଟର ବା ଧାବିକା ଧନଲକ୍ଷ୍ମୀ ସେକର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଯେଉଁ କାରଣରୁ ସେ ବର୍ମିଂହାମରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରିବେ ନାହିଁ । ତାଙ୍କ ବ୍ୟତୀତ ଜାତୀୟ ରେକର୍ଡଧାରୀ ଟ୍ରିପଲ ଜମ୍ପର ଏଶ୍ୱର୍ଯ୍ୟା ବାବୁ ମଧ୍ୟ ଡୋପ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଦୂତୀ ଚାନ୍ଦ ଓ ହିମା ଦାସଙ୍କ ଭଳି ତାରକାଙ୍କୁ ପଛରେ ପକାଇ ଚର୍ଚ୍ଚାକୁ ଆସିଥିବା ଧନଲକ୍ଷ୍ମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୩୬ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ।

ସେ ଉକ୍ତ କ୍ରୀଡ଼ାରେ ମହିଳା ୧୦୦ ମିଟର ଓ ୪ ଗୁଣା ୧୦୦ ମିଟରରେ ଦେଶର ପ୍ରତିନିଧିତ୍ୱ କରିଥାନ୍ତେ । ଏହି ଦଳରେ ଓଡ଼ିଆ ତାରକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ବ୍ୟତୀତ ହିମା ଦାସ ଥିଲେ । ଧନଲକ୍ଷ୍ମୀ ମଧ୍ୟ ଆମେରିକାର ୟୁଜିନ ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ଏହି ପ୍ରତିଯୋଗିତାରେ ହୋଇଥିବା ଡୋପ୍ ପରୀକ୍ଷଣରେ ଧନଲକ୍ଷ୍ମୀ ଷ୍ଟେରଏଡ ବା ଶକ୍ତିବର୍ଦ୍ଧକ ଔଷଧ ସେବନ କରୁଥିବା ଜଣାପଡ଼ିଥିଲା । ଯାହା ପରେ ତାଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍ ଦିଆଯାଇଛି । ସେ ବାଦ୍ ପଡ଼ିବା ପରେ ଏବେ ଦୂତୀଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟରରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।