କେରଳ ପ୍ରଳୟଙ୍କାରୀ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡିଆ ଶ୍ରମିକ । ସହାୟତା ପାଇଁ ସମ୍ପର୍କୀୟଙ୍କୁ ଫୋନ ଯୋଗେ ଦେଲେ ସୂଚନା

42

କନକ ବ୍ୟୁରୋ: କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ ଶ୍ରମିକ । କେରଳର ଇର୍ଣ୍ଣାକୁଳମ ଜିଲ୍ଲାରୁ ଆସିଛି ଏହି ଦୁଃଖଦ ଖବର । କେରଳର ଓଡ଼କାଲିର ଏକ ପାହାଡ଼ ପାଦ ଦେଶର ଏକ ଘରେ ୧୩୦ ଜଣ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି । ଏଥିରେ ପୁରୀ ଜିଲ୍ଲାରୁ ୬୦, କଟକରୁ ୩୦, ଫୁଲବାଣୀରୁ ୪୦ଜଣ ଯୁବକ କେରଳର ଏକ କମ୍ପାନୀରେ କାମ କରୁଥିଲେ । ଗତ କକିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ କେରଳରେ ବନ୍ୟା ତାଣ୍ଡବ ଦେଖାଦେଇଛି । ବନ୍ୟା ଯୋଗୁଁ କମ୍ପାନୀ ଏବେ ପାଣି ଘେରରେ ଫସିଯାଇଛି । ଜୀବନ ବଂଚାଇବା ପାଇଁ କମ୍ପାନୀ ଛାଡ଼ି ଚାଲି ଆସିଥିଲେ । ହେଲେ ଲଗାଣ ବର୍ଷା ଫଳରେ ଓଡ଼କାଲିରରେ ଫସି ରହିଛନ୍ତି ୧୩୦ ଓଡିଆ ଶ୍ରମିକ ।

ସେମାନଙ୍କ ପାଖରେ ସେଠାରେ କିଛି ଖାଇବା କି ପିଇବା ପାଇଁ ପାଣି ଟୋପେ ବି ନାହିଁ । ବିଦ୍ୟୁତ ସେବା ଠପ୍ ଥିବାରୁ ମୋବାଇଲ ମଧ୍ୟ ବନ୍ଦ ହୋଇଯାଇଛି ବୋଲି ସୂଚନା ମିଳିଛି । ଫୋନ ବନ୍ଦ ହେବା ପୂର୍ବରୁ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ନିଜ ସଂପକୀୟଙ୍କୁ ଫୋନ ମାଧ୍ୟମରେ କହିଛନ୍ତି ।

ଅନ୍ୟପଟେ କେରଳରେ ପ୍ରଳୟକାରୀ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ଅନେକ ସ୍ଥାନରେ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେବେ ଏମାନଙ୍କ ପାଖରେ କିଭଳି ଉଦ୍ଧାରକାରୀ ଦଳ ପହଁଚିବ ସେନେଇ କୌଣସି ସୂଚନା ମିଳିନାହିଁ । ଅପରପକ୍ଷେ ଫସି ରହିଥିବା ଶ୍ରମିକଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।