BSNL ଗ୍ରାହକ ପାଇଁ ବଡ ଖବର! ବନ୍ଦ ହେବନି BSNL, କମ୍ପାନି ଦେଲା ସ୍ପଷ୍ଟୀକରଣ । ଗୁଜବକୁ ବିଶ୍ୱାସ ନ କରିବାକୁ ଗ୍ରାହକଙ୍କୁ ପରାମର୍ଶ

1,343

କନକ ବ୍ୟୁରୋ : ବିଏସଏନଏଲ ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି । ବନ୍ଦ ହେବନି ବିଏସଏନଏଲ । ବିଏସଏନଏଲ କମ୍ପାନି ଖୁବଶୀଘ୍ର ବନ୍ଦ ହେବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ଗୁଜବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଠାରୁ ଜାତୀୟ ସମେତ ଆଞ୍ଚଳିକ ଗଣମାଧ୍ୟମ ଗୁଡିକରେ ବିଏସଏନଏଲ କ୍ଷତିରେ ଚାଲୁଛି ଓ ଏହାକୁ ଖୁବଶୀଘ୍ର ସରକାର ବନ୍ଦ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା ।

ବିଏସଏନଏଲ ବନ୍ଦ ହେବା ନେଇ ଖବର ପ୍ରସାରିତ ହେବା ପରେ ଏନେଇ କମ୍ପାନିର ଓଡିଶା ଶାଖା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ବିଏସଏନଏଲ କମ୍ପାନି ବନ୍ଦ ଖବର ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଏସଏନଏଲ ଓଡିଶା ଶାଖା ସିଜିଏମ ସତ୍ୟାନନ୍ଦ ନାୟକ । ବିଏସଏନଏଲ ହେଉଛି କେନ୍ଦ୍ରୀୟ ସରକାରୀ ସଂସ୍ଥା । ତେଣୁ ଏହା ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । ଲଗାତାର ଭାବେ କମ୍ପାନି ଏହାର ନେଟୱାର୍କକୁ ଲ୍ୟାଣ୍ଡଲାଇନ. ବ୍ରଡବ୍ୟାଣ୍ଡ, ଘର ପର୍ଯ୍ୟନ୍ତ ଫାଇବର କେବୁଲ, ମୋବାଇଲ ସେବା ଦ୍ୱାରା ପରିବର୍ଦ୍ଧିତ କରୁଛି ।

ଗତ କିଛିଦିନ ମଧ୍ୟରେ ବିଏସଏନଏଲର ଓଡିଶା ଶାଖା ବଲାଙ୍ଗୀରରେ ୪ଜି ସେବା ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ସୋନପୁର, କଳାହାଣ୍ଡି ଓ ନୂଆପଡାରେ ମଧ୍ୟ ଏହି ସେବା ଆରମ୍ଭ କରିବ । ଏପରିକି ବଲାଙ୍ଗୀରରେ ବିଏସଏନଏଲ ଗ୍ରାହକ ମାନେ କମ୍ପାନିର ୪ଜି ସେବାକୁ ପ୍ରଂଶସା କରିବା ସହ ଏହା ଅନ୍ୟ ଟେଲିକମ କମ୍ପାନି ଠାରୁ ମଧ୍ୟ ଭଲ ସେବା ଯୋଗାଉଥିବା କହିଛନ୍ତି । ବିଏସଏନଏଲ ସବୁବେଳେ ଲୋକଙ୍କ ସହ ଅଛି ଓ ଆଗକୁ ମଧ୍ୟ ଗ୍ରାହକ ମାନଙ୍କୁ ଭଲ ସେବା ଯୋଗାଇଦେବାକୁ ପ୍ରୟାସ ଚଳାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଭାରତୀୟ ବଜାରରେ ଜିଓର ଏଣ୍ଟ୍ରି ପରେ ବିଏସଏନଏଲ ଲଗାତାର ଭାବେ ୩ ବର୍ଷ ହେଲା କ୍ଷତିରେ ଚାଲୁଛି ଓ ଖୁବଶୀଘ୍ର ସରକାର ଏହାକୁ ବନ୍ଦ କରିପାରନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି ଗତ ୩ ବର୍ଷ ହେଲା ବିଏସଏନଏଲ କ୍ଷତିରେ ଚାଲୁଥିବା ବେଳେ କମ୍ପାନି ଅଧିକାରୀ ମାନେ ଏନେଇ ଟେଲିକମ ସଚିବ ଅରୁଣା ସୁନ୍ଦରରାଜନଙ୍କ ସହ ଆଲୋଚନା କରିଥିଲେ ଓ ଏହି ଆଲୋଚନା ପରେ ଦୁଇଟି ନିର୍ଷ୍କସ ସାମ୍ନାକୁ ଆସିଥିବା ଖବର ପ୍ରକାଶ ପାଇଥିଲା । ପ୍ରଥମତଃ କ୍ଷତିରେ ଚାଲୁଥିବା ବିଏସଏନଏଲକୁ ବଞ୍ଚାଇବା ଲାଗି କମ୍ପାନିର ପୁଞ୍ଜି ପ୍ରତ୍ୟାହାର କରିବା ସହ ଏହାକୁ ନୂତନ ପାଣ୍ଠି ଦେବା ଓ ଅନ୍ୟ ବିକଳ୍ପ ଉପରେ ବିଚାର କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏଥିରେ ସଫଳ ନ ହେଲେ ସରକାର କମ୍ପାନିକୁ ବନ୍ଦ କରିବାକୁ ଚିନ୍ତା କରିପାରନ୍ତି ବୋଲି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହି ଆଲୋଚନାରେ ବିଏସଏନଏଲର ସିଏମଡି ଅନୁପମ ଶ୍ରୀବାସ୍ତବ ଟେଲିକମ ସଚିବ ସୁନ୍ଦରରାଜନଙ୍କ ନିକଟରେ କମ୍ପାନିର ଆର୍ଥିକ ସ୍ଥିତି, ମୋଟ କ୍ଷତି ପରିମାଣ, ଜିଓ ଆସିବା ପରେ ବିଏସଏନଏଲ ଉପରେ ପଡିଥିବା ପ୍ରଭାବ, କର୍ମଚାରୀଙ୍କ ପାଇଁ ସମ୍ଭାବ୍ୟ ଭିଆରଏସ ସ୍କିମ ଓ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେବାନିବୃତି ଯୋଜନା ନେଇ ରିପୋର୍ଟ ଉପସ୍ଥାପନା କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହାକୁ ତର୍ଜମା କରିବା ପରେ କମ୍ପାନିକୁ ନେଇ ସମସ୍ତ ପ୍ରକାର ବିକଳ୍ପ ଉପରେ ବିଚାର କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାଛଡା କ୍ଷତିର ଭରଣା କରିବାକୁ ବିଏସଏନଏଲର ଯେଉଁ ସବୁ କୋଠା ରହିଛି ତାହାକୁ ବ୍ୟବହାର କରି ପାଣ୍ଠି ଯୋଗାଡ କରିବା ପାଇଁ ଉଦ୍ୟମ କରିବାକୁ ମଧ୍ୟ କମ୍ପାନିକୁ ସରକାର ପରାମର୍ଶ ଦେଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ବିଏସଏନଏଲ ବନ୍ଦ ହେବା ନେଇ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ କମ୍ପାନି ଗ୍ରାହକ ମାନଙ୍କ ପାଇଁ ସୂଚନା ଜାରି କରି କହିଛି ଏହା ସମ୍ପୂର୍ଣ୍ଣ ମିଛ ଓ ଏଭଳି ଗୁଜବ ଉପରେ ୟୁଜର୍ସ ମାନେ ଆଦୌ ବିଶ୍ୱାସ ନ କରନ୍ତୁ ।