କୋଡିଏ କାନ୍ଥରେ ଝୁଲିବ ୧୯ର ସ୍ମୃତି: ନୂଆବର୍ଷରେ ନହେଉ ପୁରୁଣା ବର୍ଷର ପୁନରାବୃତ୍ତି । ୨୦୨୦ ଖାତାରେ ନଲେଖା ହେଉ ୧୯ର ଆଖିଭିଜା ଅଧ୍ୟାୟ…

210

କନକ ବ୍ୟୁରୋ: କେଇ ମୁହୂର୍ତ୍ତ ପରେ କୋଡିଏ କ୍ୟାଲେଣ୍ଡରରେ ସ୍ମୃତି ହୋଇ ଝୁଲିବ ୨୦୧୯ । ନୂଆବର୍ଷର ନୂଆ ସକାଳ ସିନା ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିବ ହେଲେ ଉଣେଇଶର ଅକୁହା କଥା, ଅକୁହା କାହାଣୀ ଆଉ ଅଭୁଲା ଚିତ୍ର ଚରିତ୍ର ସବୁ କୋଡିଏ କାନ୍ଥରେ କଣ୍ଟା ପିଟା ହୋଇ ଟଙ୍ଗା ହେବ । କ୍ୟାଲେଣ୍ଡରର ଶେଷ ପୃଷ୍ଠା ଓଲଟିଗଲେ ସରିଯାଏ ପୁରୁଣା ବର୍ଷ, ପୁରୁଣା ଦିନ ଆଉ ନୂଆ ପୃଷ୍ଠାରେ ଲେଖାହୁଏ ନୂଆ ଏକ ଅଧ୍ୟାୟ । ତେବେ ସତରେ କଣ ନୂଆବର୍ଷ ଆସିଲେ ପୁରୁଣା ଦିନର କଥା ଭୁଲି ହୋଇଯାଏ । ପୁରୁଣା ବର୍ଷ ଦେଇଥିବା ବ୍ୟଥା, ବେଦନା, ଛାତିରେ ହୋଇଥିବା କ୍ଷତର ଦରଜକୁ ଭୁଲି ହୋଇଯାଏ ?

ତେବେ ୨୦୧୯ର ସେମିତି କିଛି ଘଟଣା ଆମେ ଆପଣଙ୍କ କହିବୁ ଯାହାକୁ କେବେ ଭୁଲିହେବନି କି ସେ ଦରଜ ଜମା ଯିବନି । ଆଉ ସେମିତି କିଛି ଘଟଣା ଭିତରୁ ହାଇଦ୍ରାବାଦର ହୃଦୟଥରା କାହାଣୀ ଅନ୍ୟତମ । ଘରକୁ ଫେରିବା ବେଳେ ୪ ଜଣ ନର ରାକ୍ଷସ ମହିଳା ପଶୁ ଡାକ୍ତରଙ୍କୁ ଯେଉଁଭଳି ଭାବେ ପଶୁଭଳି ନିଛାଟିଆକୁ ନେଇ ଝୁଣି ଖାଇଗଲେ ତାହା ସାରା ଭାରତର ମୁହଁକୁ ତଳକୁ କରି ଦେଇଥିଲା । ଗଣଦୁଷ୍କର୍ମ ପରେ ମନ ମାନିଲାନି ଯେ ତାଙ୍କ ଦେହରେ ନିଆଁ ଲଗାଇ ଜାଳି ଦେଇଥିଲେ ୪ ସୈତାନ । ଯଦିଓ ଅଧ ରାତିରେ ସୈତାନ ମାନଙ୍କୁ ଗୁଳି କରି ହତ୍ୟା କରି ଦିଶାଙ୍କ ସହ ଘଟିଥିବା ଜଘନ୍ୟକାଣ୍ଡର ବଦଲା ନେଇଥିଲା ପୋଲିସ । ହେଲେ ଦିଶାଙ୍କ ବାପାମାଆଙ୍କ କୋଳକୁ କଣ ଝିଅ ଫେରି ଆସିଥିଲା ? ନାଇଁ ନା , ବରଂ ଦିଶା ଘଟଣା ସାରା ଦେଶର ବାପାମାଆଙ୍କ ଛାତିରେ ଏକ ଅଜଣା ଭୟ ଭରି ଦେଇଥିଲା ।

ସଞ୍ଚ ନଇଁଲେ କିମ୍ବା ଝିିଅ ଯଦି ବାହାରକୁ ଯାଇ ଘରକୁ ଫେରିବାରେ ବିଳମ୍ବ କଲା ତେବେ ବଢିଲା ଝିଅଙ୍କ ବାପା ମାଆ ଅଦେଖା ଡରରେ କମ୍ପୁଥିଲେ । କାଳେ ତାଙ୍କ ଝିଅ ସହ ସେମିତି କିଛି ଘଟିନିତ ? ହାଇଦ୍ରାବାଦ ଘଟଣା ଟିକେ ଥମିବା ପରେ ଓଡିଶାର ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସେ ଭୟକୁ ଦ୍ୱିଗୁଣିତ କରିଦେଲା । ତେବେ ନାରୀଙ୍କୁ ନେଇ ଏମିତି କିଛି ଭୟ ୨୦୧୯ ଦେଇଥିଲା । ତେଣୁ ୨୦୨୦ରେ ଦୁଷ୍କର୍ମ, ହତ୍ୟା, ଲୁଣ୍ଠନ ଭଳି ଛାତିଥରା ଆଉ ନାରକୀୟକାଣ୍ଡ ଯେମିତି ନଘଟେ ତାହା ୨୦୧୯ କୋଡିଏ କାନରେ କହିବା ଦରକାର । ନୂଆବର୍ଷରେ ଏମିତି ନାରକୀୟ ଘଟଣାର ପୁନାରାବୃତ୍ତି ନ ହେଉ ବୋଲି ଆଶା କରିବା । ଆଉ ଯେଉଁମାନେ ଏଭଳି ନିମ୍ନ ସ୍ତରକୁ ଯାଇ ଏମିତି ଘଟାଉଛନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ଆଶା କରିବା ।

ତେବେ ଖାଲି ଦୁଷ୍କର୍ମ ଓ ହତ୍ୟା ନୁହେଁ ଅନେକ ଝଡ ଝଞ୍ଜାକୁ ମଧ୍ୟ ସାମ୍ନା କରିଛି ଓଡିଶା, ସାମ୍ନା କରିଛନ୍ତି ଓଡିଶାବାସୀ । ଫୋନିର ଭୟଙ୍କର ଫଣାରେ ଯେତେବେଳେ ଓଡିଶା ପଡିଥିଲା ସେତେବେଳେ ସବୁକିଛି ଉଜୁଡି ଯାଇଥିଲା । ପ୍ରଳଙ୍କାରୀ ପବନରେ ଘରଦ୍ୱାର ସହ ସବୁ ସ୍ୱପ୍ନକୁ ଛାରଖାର କରିଦେଇଥିଲା ବାତ୍ୟା । ବଡ ବଡ ଗଛ, କୋଠା ଭାଙ୍ଗି ଛାତିରେ ଛାତିଏ ଛନକା ପଶାଇଥିଲା ସହ ଛାରି ଆଡେ ହା ହା କାର ଖେଳାଇ ଦେଇଥିଲା ବାତ୍ୟା ଫୋନି । ତେବେ ୨୦୧୯ର ଆସିଥିବା ସେଭଳି ଏକ ଘଟଣା, ସେଭଳି ଏକ କାହାଣୀ ୨୦୨୦ରେ ପୁନରାବୃତି ନହେଉ ବୋଲି ସମସ୍ତେ ଭବବାନଙ୍କୁ ଗୁହାରୀ କରିଛନ୍ତି ।

ତେବେ ୨୦୧୯ରେ ଅନେକ ଭଲ ଖବର ବି ଓଡିଶା ଛାତିରେ ସ୍ମୃତି ହୋଇ ରହିଯାଇଛି ଯାହାକୁ ବଖାଣିଲେ କ୍ୟାଲେଣ୍ଡର ପରି ପୃଷ୍ଠା ପରେ ପୃଷ୍ଠା ଓଲଟି ଚାଲିବ । ତେବେ ଆସୁଥିବା ନୂଆବର୍ଷ ପୁରୁଣା ବର୍ଷର ଅଘଟଣକୁ ଭୁଲି, ପୁରୁଣା ବର୍ଷର କ୍ଷତକୁ ଭୁଲି ନୂଆ ଏକ ଅଧ୍ୟାୟ ସୃଷ୍ଟି କରୁ । ନୂଆ ସମ୍ଭାବନା ଆଣିଦେଉ ଭଗବାନଙ୍କ ପାଖରେ ଏହା ହିଁ କାମନା, ଏତିକି ପ୍ରାର୍ଥନା ।