ନୂତନ ବର୍ଷର ଶୁଭେଚ୍ଛା । ସରିଲା କାଉଂଟଡାଉନ, ନୂଆ ଆଶା ଓ ସମ୍ଭାବନା ନେଇ ଆସିଲା ନୂଆବର୍ଷ ୨୦୨୦, ଜମିଲା ଜିରୋ ନାଇଟ୍ ।

510

କନକ ବ୍ୟୁରୋ : ମେଳାଣି ନେଇଛି ୨୦୧୯, ଆସିଛି ବର୍ଷ ୨୦୨୦ । ବିଦାୟ ଓ ଆଗମନ ମଧ୍ୟରେ ବ୍ୟବଧାନର ଅନ୍ତ ଘଟିଛି । ସ୍ମୃତି ଛାଡିଯାଇଛି ୨୦୧୯, ଆଉ ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ୨୦୨୦ । ଭାରତରେ ପାଦ ଦେଇଛି ନୂଆବର୍ଷ ୨୦୨୦ । ଆଉ ନୂଆବର୍ଷକୁ ଦମଦାର ଷ୍ଟାଇଲରେ ସ୍ୱାଗତ କରିଛନ୍ତି ଦେଶବାସୀ । ପୂରା ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି । ଚାରିଆଡେ ନାଚଗୀତରେ ମସଗୁଲ ହୋଇଯାଇଛନ୍ତି ଲୋକେ । ଆତଶବାଜିର ରଙ୍ଗୀନ ଆଲୁଅରେ ଆଲୋକିତ ହୋଇ ପଡିଛି ନୀଳ ଆକାଶ ।

୨୦୧୯କୁ ବିଦାୟ ଦେବା ଯେତିକି କଷ୍ଟକର ଥିଲା ତାହା ଠାରୁ ଅଧିକ ଖୁସି ୨୦୨୦ ଆଣିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଆଉ ଏହି ନୂଆବର୍ଷକୁ ନାଚଗୀତ ସହ ସେଲିବ୍ରେସନ କରିବା ସହ ସ୍ୱାଗତ କରିଛନ୍ତି ଲୋକେ । କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଭିନ୍ନ ଭିନ୍ନ ଅନ୍ଦାଜରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି ।

ଭାରତ ସହ ନ୍ୟୁଜିଲାଣ୍ଡରେ ମଧ୍ୟ ଧୂମଧାମରେ ପାଳନ ହୋଇଛି ନୂଆବର୍ଷ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ବେଶ ଧୂମଧାମରେ ବର୍ଷ ୨୦୨୦କୁ ସ୍ୱାଗତ କରାଯାଇଛି । ନୂଆବର୍ଷର ଆଗମନ ସହ ଅକଲାଣ୍ଡ ସହରରେ ଥିବା ସ୍କାଏ ଟାୱାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ଆଉ ସେଠି ଉପସ୍ଥିତ ଥିବା ହଜାର ହଜାର ଲୋକ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସ୍ଥାନୀୟ ସମୟ ଠିକ୍ ରାତି ୧୨ଟାକୁ ଅପେକ୍ଷା କରି ଚାହିଁ ରହିଥିଲେ ସମସ୍ତେ । ସ୍କାଏ ଟାୱାର ନିକଟରେ ସମୟ ଅବଗଣନା କରୁଥିଲେ ହଜାର ହଜାର ଲୋକ । ଆଉ ଯେତେବେଳେ ରାତି ୧୨ଟା ହେଲା ଆତସବାଜୀ ଓ ଆଲୋକମାଳାରେ ଝଲସି ଉଠିଥିଲା ପୁରା ସହର । ସ୍କାଏ ଟାୱାର ସମେତ ନିକଟରେ ଥିବା ବ୍ରିଜ୍ ଏବଂ ବଡ ବଡ ବିଲ୍ଡିଂରୁ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା ରଙ୍ଗାରଙ୍ଗ ଆଲୁଅ ଭିତରେ । ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠି ପ୍ରଥମେ ଆସେ ନୂଆବର୍ଷ ।

ନ୍ୟୁଜିଲାଣ୍ଡ ଭଳି ଅଷ୍ଟ୍ରେଲିଆରେ ବି ବେଶ ଧୂମଧାମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ସିଡନୀ ସହରରେ ରଙ୍ଗାରଙ୍ଗ ଆତସବାଜୀ ଏବଂ ଆଲୋକମାଳା ଭିତରେ ନୂଆ ବର୍ଷ ସ୍ୱାଗତ ନେଇଛି । ସିଡନୀରରେ ଜିରୋ ନାଇଟ୍ ସେଲିବ୍ରେସନର ଆୟୋଜନ ହୋଇଛି । ଯେଉଁଥିରେ ହଜାର ହଜାର ଲୋକ ଉପସ୍ଥିତ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ସ୍ଥାନୀୟ ସମୟ ଅନୁସାରେ ଠିକ୍ ୧୨ଟାରେ ବାଣ ଓ ଆଲୋକମାଳା ଭିତରେ ଅତି ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି ।