ଗୁଣି ଛଡ଼ାଇବାକୁ ଯାଇ ଫସିଲେ ! ଗାଁ ଦାଣ୍ଡରେ ୩ ଗୁଣିଆଙ୍କୁ ନିସ୍ତୁକ ମାଡ଼

33

କନକ ବ୍ୟୁରୋ: ଗାଁ ଦାଣ୍ଡରେ ୩ଗୁଣିଆଙ୍କୁ ନିସ୍ତୁକ ମାଡ଼ । ଗ୍ରହଶାନ୍ତି ପୂଜାରେ ବସିଥିବା କିଛି ଲୋକ ଅସ୍ୱାଭାବିକ ଆଚରଣ କରିବା ପରେ ପୂଜା କରିବା ପାଇଁ ଯାଇଥିବା ୩ଜଣ ମହିଳାଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ସିନ୍ଧିଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ଖବର ପାଇ ପୁଲିସ ଗାଁରେ ପହଂଚି ୩ଗୁଣିଆଙ୍କୁ ପଚରାଉଚରା କରିବା ସହ ଅସ୍ୱାଭାବିକ ଆଚରଣ କରୁଥିବା ୬ଜଣକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

ସୂଚନା ମୁତାବକ, ସିନ୍ଧିଗୁଡା ଗାଁର ଗୋବର୍ଦ୍ଧନ ଗୌଡ଼, ନୀଳ ଗୌଡ଼ ଓ ବଳି ଗୌଡ଼ଙ୍କ ପରିବାର ଲୋକଙ୍କ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା । ତେବେ ଗ୍ରହଶାନ୍ତି ପୂଜା କଲେ ସବୁ ଠିକ୍ ହୋଇଯିବ ବୋଲି ଗୁଣିଆ ଗଙ୍ଗାଇ ଗୌଡ଼ କହିଥିଲେ । ଏଥିପାଇଁ ଗତ ଶୁକ୍ରବାର ଏକାଦଶୀ ତିଥି ରାତିରେ ଦୁଇ ଜଣ ଚେଲାଙ୍କୁ ଧରି ଗାଁ ଦାଣ୍ଡରେ ପୂଜାର୍ଚ୍ଚନା କରିବା ସହ ଶନିବାର ରାତିରେ ପୁଣି ବଡ଼ ଧରଣର ପୂଜା କରିଥିଲେ । ତେବେ ରବିବାର ସକାଳୁ ମହିଳାମାନେ ପୂଜାରେ ବ୍ୟବହୃତ ସମସ୍ତ ସାମଗ୍ରୀ ଗାଁ ନାଳରେ ବିସର୍ଜ୍ଜନ କରି ଘରକୁ ଫେରିବା ପରେ ପାଗଳଙ୍କ ଭଳି ଅସ୍ୱାଭାବିକ ଆଚରଣ କରିଥିଲେ । କେହି କେହି ନିଜ ନିଜ ଭିତରେ ମାରପିଟ୍ ହେଉଥିବା ବେଳେ କେହି କେହି ରାସ୍ତା ଉପରେ ଗଡ଼ାତଡ଼ା ହେବା ସହ ଅନବରତ ଗୀତ ଗାଇ ନାଚୁଥିଲେ ।

ଗ୍ରହଶାନ୍ତି ବାହାନାରେ ଗୌଡ଼ ପରିବାରକୁ ଗୁଣି ଗାରେଡ଼ି କରି ପାଗଳ କରିଦିଆଇଥିବା ସନ୍ଦେହ କରି ଗ୍ରାମବାସୀ ଗତକାଲି ସଂପୃକ୍ତ ତିନି ଗୁଣିଆଙ୍କୁ ଅଟକ ରଖିଥିଲେ । ଶୀଘ୍ର ଗୌଡ଼ ପରିବାରକୁ ଭଲ କରିଦେବାକୁ ସେମାନଙ୍କୁ କହିଥିଲେ । ମାତ୍ର ପୂର୍ବ ସ୍ଥିତି ଜାରି ରହିବାରୁ ଉତ୍ତେଜିତ ଗ୍ରାମବାସୀ ତିନି ଗୁଣିଆଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ପିଟିଥିଲେ ଏବଂ ମୋବାଇଲରେ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପାପଡ଼ାହାଣ୍ଡି ପୁଲିସ ଗାଁରେ ପହଂଚି ୩ଜଣ ଗୁଣିଆଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା । ସେହିପରି ଅସ୍ୱାଭାବିକ ଆଚରଣ କରୁଥିବା ୬ଜଣଙ୍କୁ ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।