ଚୀନର ନୂଆ ଷଡଯନ୍ତ୍ର ! ଭାରତରେ ଅଶାନ୍ତି ସୃଷ୍ଟି ପାଇଁ ଉଗ୍ରବାଦୀଙ୍କୁ କରୁଛି ହତିଆର

44

କନକ ବ୍ୟୁରୋ : ଚୀନର ନୂଆ ଷଡଯନ୍ତ୍ର । ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚୀନ ଏଥର ଉଗ୍ରବାଦୀଙ୍କୁ ହତିଆର କରୁଛି । ଅରୁଣାଚଳପ୍ରଦେଶ ସକ୍ରିୟ ଥିବା ଏନଏସସିଏନ ଉଗ୍ରବାଦୀ ସଂଗଠନକୁ ଚୀନ ଅସ୍ତ୍ର ଯୋଗାଉଥିବା ସୂଚନା ମିଳିଛି । ଉଗ୍ରବାଦୀ ସଂଗଠନ ସହ ଚୀନ ସେନା ପିଏଲଏର ଇଂଟଲିଜେନ୍ସ ୱିଙ୍ଗସ ସିଧା ସର୍ମ୍ପକରେ ରହିବା ସହ ସବୁ ପ୍ରକାର ସହାୟତା କରୁଛନ୍ତି । ଏହାଛଡା ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଗାଁରେ ଚୀନ ଏକ ଶିବିରରେ ଉଗ୍ରବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ମଧ୍ୟ ଜଣାପଡିଛି । ନୂଆ ଉଗ୍ରବାଦୀ ସଂଗଠନ ଚୀନର ଷଡଯନ୍ତ୍ରକୁ ଆଗକୁ ବଢାଇ, ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ଓଡିଶା ଓ ଛତିଶଗଡର ନକ୍ସଲ ସଂଗଠନକୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ କରୁଥିବା ସୂଚନା ମିଳିଛି ।

ଏପଟେ ଶୀଘ୍ର ଡୋକାଲାମ ବିବାଦର ସମାଧାନ ଆସିବ ବୋଲି ଭାରତର ଗୃହମନ୍ତ୍ରୀ ରାଜନାଥ ସିଂହ କରିଥିବା ଆଶାକୁ ବେକାର କହିଛି ଚୀନ । ଚୀନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିୟାଙ୍ଗ କହିଛନ୍ତି, ବିବାଦର ସମାଧାନ ପାଇଁ ଭାରତ ସେନା ନିସର୍ତ୍ତର୍ ନିଜ ଜିନିଷ ପତ୍ର ସହ ଡୋକଲାମ ଛାଡିଦେବା ଉଚିତ୍ । କାରଣ ଭାରତୀୟ ଯବାନ ଅବୈଧ ଭାବେ ସୀମା ପାର କରିଥିବା ଚୁନିୟାଙ୍ଗ କହିଛନ୍ତି । ହୁଆ ଚୁନିୟାଙ୍ଗ କହିଛନ୍ତି, ଭାରତ ଡୋକଲାମରେ ଚୀନର ସଡକ ନିର୍ମାଣ ରୋକିବା ନେଇ ହାସ୍ୟାସ୍ପଦ ତର୍କ ଓ କୁଟନୈତିକ ଚାଲ । ପୂର୍ବରୁ ରାଜନାଥ ସିଂହ କହିଥିଲେ ଡୋକଲାମ ବିବାଦର ଅଚଳାବସ୍ଥା ଦୁର କରିବା ପାଇଁ ଚୀନ ସକରାତ୍ମକ ପଦକ୍ଷେପ ଉଠାଇବ । ଏବଂ ଶୀଘ୍ର ଡୋକଲାମ ବିବାଦର ସମାଧାନ ହେବ ।

ଅନ୍ୟପଟେ ଆତଙ୍କବାଦଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଟ୍ରଂପଙ୍କ ଏହି ବୟାନକୁ ଖଣ୍ଡନ କରି ପାକିସ୍ତାନ ପାଇଁ ଓକିଲାତି ଆରମ୍ଭ କରିଛି ଚୀନ । ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନୟାଙ୍ଗ କହିଛନ୍ତି, ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢେଇ କରୁଛି । ହୁଆ ଚୁନୟାଙ୍ଗ କହିଛନ୍ତି, ଆମେରିକା ଏସିଆ ନୀତି ଅନୁସାରେ ଅଂଚଳର ସ୍ଥିରତା ଓ ଶାନ୍ତି ପାଇଁ କାମ କରିବ ବୋଲି ଆଶା କରାଯାଇଛି । ଟ୍ରଂପ ପାକିସ୍ତାନ ଉପରେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଅଭିଯୋଗ କରିଛନ୍ତି । ଟ୍ରଂପ ଏହା ମଧ୍ୟ ଦେଖିବା ଉଚିତ ଖୋଦ ପାକିସ୍ତାନ ଆତଙ୍କବାଦରେ ଜର୍ଜରିତ । ଆତଙ୍କବାଦ ବିରୋଧରେ ଲଢେଇ ପାକିସ୍ତାନ ବହୁତ ବଳିଦାନ ଦେଇଛି ବୋଲି ଚୀନ କହିଛି ।