ପିସି କାରବାରରେ ମନ୍ତ୍ରୀ ରମେଶ ମାଝିଙ୍କ ସମ୍ପୃକ୍ତି ଅଭିଯୋଗ ! ଆଇଟିଡିଏର ବିକାଶମୂଳକ କାର୍ଯ୍ୟ ପାଇଁ ପିସି ଦାବି

19

କନକ ବ୍ୟୁରୋ : ପିସି କାରବାରରେ ମନ୍ତ୍ରୀ ରମେଶ ମାଝିଙ୍କ ସମ୍ପୃକ୍ତି ଅଭିଯୋଗ । ଆଦିବାସୀ କଲ୍ୟାଣ ପାଇଁ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପିସି କାରବାର । ମନ୍ତ୍ରୀ ରମେଶ ମାଝିଙ୍କ ବିରୋଧରେ ପିସି ଅଭିଯୋଗ । ନବରଙ୍ଗପୁର ଆଇଟିଡିଏ ବିଭାଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପିସି କାରବାର ହେଉଥିବା ଅଭିଯୋଗ ହୋଇଛି । ଏଥିରେ ଖୋଦ୍ ଆଦିବାସୀ ବିକାଶ ମନ୍ତ୍ରୀ ରମେଶ ମାଝି ସମ୍ପୃକ୍ତ ଥିବା କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି ।

ଆଇଟିଡିଏରେ ବିଭିନ୍ନ କାମ ପାଇଁ ୧୮ରୁ ୨୨ପ୍ରତିଶତ ପିସି ଆକାରରେ ନିଆଯାଉଥିବା ସେ କହିଛନ୍ତି । ଏଥିରେ ତଳ କର୍ମଚାରୀଙ୍କ ଠାରୁ ନେଇ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ସମ୍ପୃକ୍ତି ଥିବା ପ୍ରଦୀପ ମାଝି କହିଛନ୍ତି । ଆସନ୍ତା ୨୦ତାରିଖ ସୁଦ୍ଧା ଯଦି ସରକାର ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ ତେବେ ଜିଲ୍ଲା କଂଗ୍ରେସ ଆଇଟିଡିଏ କାର୍ଯ୍ୟାଳୟ ଘେରାଓ କରିବ ବୋଲି କଂଗ୍ରେସ କହିଛି ।

ମନ୍ତ୍ରୀଙ୍କ ବିରୋଧରେ ପୂର୍ବତନ ସାଂସଦଙ୍କ ଏପରି ଅଭିଯୋଗ ପରେ ନବରଙ୍ଗପୁର ରାଜନୀତି ସରଗରମ ହୋଇଉଠିଛି । ପିସି କାରବାରରେ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । ଯଦି କୌଣସି ଦୁର୍ନୀତିରେ ଲିପ୍ତଥାଏ ତେବେ କଂଗ୍ରେସ ପ୍ରମାଣ ଦେଉ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ବିଭାଗର କୌଣସି କର୍ମଚାରୀ ପିସି କାରବାରରେ ଲିପ୍ତନଥିବା କହିଛନ୍ତି ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ଅଧିକାରୀ । ପିସି କାରବାର ନେଇ ମୁଖ୍ୟମନ୍ତ୍ରୀ କଡା ତାଗିଦ କରିଥିବାବେଳେ ମନ୍ତ୍ରୀଙ୍କ ବିରୋଧରେ ଆସିଛି ପିସି କାରବାର ଅଭିଯୋଗ । ଏପରିସ୍ଥଳରେ ଏହି ଅଭିଯୋଗର ତଦନ୍ତ ହେବା ଜରୁରୀ ହୋଇପଡିଛି ।