ସମୟ ରାତି ୨ଟା ! ରେଲୱେ ଷ୍ଟେସନ ପରିସରରେ ଶୁଭିଲା ‘ଆସିଲା ଭୂମିକମ୍ପ’, ଆଉ ଏହା ପରେ…..

72

ଏହା ହେଉଛି ବିହାର ନାଳନ୍ଦା ଜିଲ୍ଲାର ବିହାରଶରିଫ ରେଲୱେ ଷ୍ଟେସନର ଘଟଣା । ଶନିବାର ରାତି ପାଖାପାଖି ୨ଟା ସମୟ । ଅଚାନକ ଭୂମିକମ୍ପ ନେଇ ପ୍ରଘଟ ହେଲା ଖବର । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ହୋହଲ୍ଲା । ୨୦୦୦ରୁ ଅଧିକ ଛାତ୍ର ନିଜ ଜୀବନ ବଞ୍ଚାଇବା ପାଇଁ ଧାଇଁଥିଲେ ଏଣେତେଣେ । ଏହି ଧାଁ ଦୌଡରେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ଶୋଇଥିବା ଲୋକଙ୍କ ଉପରେ ଦଳଚକଟା ହୋଇଥିଲା । ଏପରିକି ଏହି ଦଳାଚକଟା କେତେଜଣ ଛାତ୍ର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ରେଳବାଇ ପୋଲିସ ଆମ୍ବୁଲାନ୍ସ ଡକାଇ ସମସ୍ତ ଆହତ ମାନଙ୍କୁ ସଦର ହସ୍ପିଟାଲକୁ ପଠାଇଥିଲେ ।

ସୂଚନା ଅନୁଯାୟୀ, ଆଇଟିଆଇ ପ୍ରବେଶିକା ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା ପାଖାପାଖି ୨ ରୁ ୩ ହଜାର ପରୀକ୍ଷାର୍ଥୀ ରେଲୱେ ଷ୍ଟେସନରେ ବିଶ୍ରାମ ନେଉଥିଲେ । ଆଉ ଏହାରି ମଧ୍ୟରେ କେତେ ଜଣ ଛାତ୍ର ଗୁଜବ ସୃଷ୍ଟି କରିଥିଲେ ଯେ, ଭୂମିକମ୍ପ ଆସିଗଲା । ଏହା ପରେ ଷ୍ଟେସନରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ହୋହଲ୍ଲା ଦେଖାଦେଇଥିଲା । ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେସନ ପରିସରରେ ଥିବା ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଥିଲା । ଏହା ପରେ ରେଳବାଇ ଥାନା ଅଧିକାରୀ ନିଜ ଫୋର୍ସ ସହ ସେଠାରେ ପହଞ୍ଚି ଲୋକମାନଙ୍କୁ ଘଟଣାର ଗୁଜବ ସମ୍ପର୍କରେ ସୂଚନା ଦେବାରୁ ଲୋକମାନେ ଶାନ୍ତ ହୋଇଥିଲେ ।