ମାନସିକ ବିଷାଦରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ! ଅଧିକାଂଶ ଲୋକଙ୍କୁ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି, କଟକ ବଡ ମେଡିକାଲରେ ଚାଲିଛି ଚିକିତ୍ସା

35

କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମାନସିକ ଭାବେ ବିଷାଦଗ୍ରସ୍ତ ଅଛନ୍ତି ଏବଂ ଏହି କାରଣରୁ ତାଙ୍କର ପୂର୍ବରୁ ଥିବା ମେରୁଦଣ୍ଡ ଓ ପାକସ୍ଥଳୀ ଜନିତ ରୋଗ ପୁଣିଥରେ ଶରୀରକୁ ପ୍ରଭାବିତ କରୁଛି । ଫଳରେ ପ୍ରଭାତ ବିଶ୍ୱାଳ ଅଧିକାଂଶ ଲୋକଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି । ଆଜି ଅଲଟ୍ରାସାଉଣ୍ଡ ପାଇଁ ଯାଉଥିବା ବେଳେ ବିଧାୟକଙ୍କ ନିଆଯାଇଥିବା କିଛି ଫଟୋ, ତାଙ୍କ ଶାରିରୀକ ଅସୁସ୍ଥତା ବୟାନ କରୁଛି । ସେ ଏବେ ବଡ ଡାକ୍ତରଖାନାର ଆଂଚଳିକ ମେରୁଦଣ୍ଡ ନିଦାନ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା । ଏବେ ସେହି ସ୍ଥାନରେ ପୁଣି ଥରେ ସଂକ୍ରମଣ ଦେଖାଯାଉଛି ବୋଲି ଡାକ୍ତର କହୁଛନ୍ତି । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଚିକିତ୍ସାଧିନ ଅଛନ୍ତି ପ୍ରଭାତ ବିଶ୍ୱାଳ । ଇତି ମଧ୍ୟରେ ଗତ ଏପ୍ରିଲ ମାସରେ, ସିସୋରକୁ ଜମି ବିକ୍ରି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ଗିରଫ ହେବା ପରଠାରୁ ହିଁ ସେ ଅସୁସ୍ଥ ଅଛନ୍ତି । ତେବେ ଆସନ୍ତା ୨ରୁ ୩ମାସ ମଧ୍ୟରେ ସେ ଠିକ୍ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପରିବାର ବର୍ଗକୁ ଜଣାଇଛନ୍ତି ।