ମୋଦିଙ୍କ ମହାନଦୀ ବୟାନକୁ ନେଇ ଜୋର ଧରିଲା ରାଜନୀତି ! ବିଜେଡି କହିଲା ମିଛ କହୁଛନ୍ତି ମୋଦି

36

କନକ ବ୍ୟୁରୋ : ମହାନଦୀ ଟ୍ରିବ୍ୟୁନାଲ ଗଠନ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟକୁ ନେଇ ଝଡ଼ ଉଠିଛି । ବିଜେଡି କହିଛି, ମହାନଦୀ ନେଇ ମିଛ କହିଛନ୍ତି ମୋଦି । କଂଗ୍ରେସ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛି । ସେପଟେ ବିଜେପି କହିଛି, ମୋଦି ଯାହା କହିଛନ୍ତି ସତ କହିଛନ୍ତି । ଗତକାଲି କଟକରେ ମୋଦି କହିଥିଲେ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ କରିବାକୁ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ , କିନ୍ତୁ ଓଡିଶା ସରକାର ଟ୍ରିବୁନାଲ ଗଠନ ପ୍ରସ୍ତାବକୁ ମନା କରିଦେଇଥିଲେ ବୋଲି ମୋଦି କହିଥିଲେ ।

କଟକ ଜନସଂକଳ୍ପ ସମାବେଶରେ ମହାନଦୀ ନେଇ ମୋଦିଙ୍କ ମନ୍ତବ୍ୟକୁ ନେଇ ଜୋରଧରିଛି ରାଜନୀତି । ବିଜେଡି ଅଭିଯୋଗ କରିଛି, ମିଛ ତଥ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଟ୍ରିବ୍ୟୁନାଲ ନେଇ ଦାବି କରିଆସୁଥିଲା ଓଡ଼ିଶା । ତେବେ ଛତିଶଗଡ଼ କାମ ବନ୍ଦ ନକରିବାରୁ ଉମାଭାରତୀଙ୍କ ମଧ୍ୟସ୍ଥତାରେ ଦ୍ୱିପାକ୍ଷିକ ଆଲୋଚନା ଫସରଫାଟି ଯାଇଥିଲା । ସେପଟେ କଂଗ୍ରେସ ମଧ୍ୟ ଖୋଲାଖୋଲି ଭାବେ ଅଭିଯୋଗ କରିଛି, ଏହି ପ୍ରସଙ୍ଗରେ ମିଛର ଆଶ୍ରୟ ନେଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦିଙ୍କ ଏହି ମନ୍ତବ୍ୟକୁ ନିଜ ଦଳରୁ ମଧ୍ୟ ସମାଲୋଚନା କରାଯାଇଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ସୁପ୍ରିମକୋର୍ଟ କଟୁ ମନ୍ତବ୍ୟ ଦେବା ପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଟ୍ରିବ୍ୟୁନାଲ ଗଠନ କରିଛନ୍ତି । ଏବେ ଟ୍ରିବ୍ୟୁନାଲ କାର୍ଯ୍ୟକାରୀ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ବିଜୟ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଛିତଶଗଡର ବେଆଇନ କାମ ସଂପର୍କରେ କହିଥିଲେ ଭଲ ହୋଇଥାନ୍ତା । ସେପଟେ ମୋଦି କୌଣସି ମିଛ କଥା କହିନାହାନ୍ତି ବୋଲି ମତ ଦେଇଛନ୍ତି ରାଜ୍ୟ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ।

ମୋଦିଙ୍କ ମନ୍ତବ୍ୟ ପରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ରାଜନୀତି । ଉପରମୁଣ୍ଡରେ ବନ୍ଧ ବାନ୍ଧି ଛତିଶଗଡ଼ ଜଳପ୍ରବାହ ରୋକି ଦେଇଥିବାରୁ ଶୁଖିଲା ପଡିଛି ମହାନଦୀର ପ୍ରାକୃତିକ ଧାର । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ବି ଏପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ହୋଇନାହିଁ । ସତ-ମିଛର ଦ୍ୱନ୍ଦ୍ୱ ଭିତରେ ଆହୁରି ଜଟିଳ ହୋଇଛି ମହାନଦୀ ବିବାଦ ।