ଶିଶୁ ମୃତ୍ୟୁର ୪୮ ଘଂଟା ପରେ ମୁହଁ ଖୋଲିଲେ ଯୋଗୀ ! ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ କହିଲେ ୟୁପି ମୁଖ୍ୟମନ୍ତ୍ରୀ

19

କନକ ବ୍ୟୁରୋ : ଗୋରଖପୁର ଶିଶୁମୃତ୍ୟୁ ଘଟଣାକୁ ସମ୍ବେଦନଶୀଳ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନସେଫାଲାଇଟ୍ସ ରୋଗର ମୁକାବିଲା ଏକ ଚ୍ୟାଲେଂଜ୍ ବୋଲି କହିଛନ୍ତି ଯୋଗୀ । ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଘଟଣା ଅତ୍ୟନ୍ତ ଜଘନ୍ୟ । ତେବେ ଅକ୍ସିଜେନ୍ ଯୋଗାଣ ସଂପର୍କରେ ତଦନ୍ତ ପାଇଁ କମିଟି ଗଠିତ ହୋଇଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ସେପଟେ ଶିଶୁ ମୃତ୍ୟୁ ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବିତ ହୋଇଛନ୍ତି ବାବା ରାଘବ ଦାସ ମେଡିକାଲ କଲେଜର ପ୍ରିନ୍ସପାଲ । ଲିକ୍ୟୁଇଡ୍ ଅକ୍ସିଜେନ ଅଭାବରୁ ୪୮ଘଂଟା ମଧ୍ୟରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ପରେ ଉତ୍ତରପ୍ରଦେଶରେ ତନାଘନା ଜାରି ରହିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀରେ ଘାତକ ସାଜିଛି ଏନସେଫାଲାଇଟିସ୍ । ଗୋରଖପୁର ଅଂଚଳ ଗତ ୪୦ ବର୍ଷ ଧରି ଏହି ମହାମାରୀ ସହ ସଂଘର୍ଷ କରୁଛି । ପ୍ରତିବର୍ଷ ଯାଉଛି ହଜାର ହଜାର ଶିଶୁଙ୍କ ଜୀବନ । ୨୦୧୭ରେ ଏଯାବତ୍ ୨୦୦ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ୬ ଦିନରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ବିଜେପି ସରକାର ପାଇଁ ଅଡୁଆ ଜନକ ସ୍ଥିତି ସୃଷ୍ଟି କରିଛି । କାରଣ ଏହି ଏନସେଫାଲାଇଟିସ୍ ପ୍ରସଙ୍ଗରେ ବିଜେପି ଆନ୍ଦୋଳନର ପନ୍ଥା ଆପଣାଇଥିଲା । ହେଲେ ଏବେ ସେହି ସମାନ ସମସ୍ୟା ଯୋଗୀ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

୧୯୭୭ରେ ପ୍ରଥମ ଥର ପାଇଁ ଏନସେଫାଲାଇଟିସ୍ ଗୋରଖପୁର ଅଂଚଳରେ ବ୍ୟାପିଥିଲା । ଆଉ ଏହାପରଠାରୁ ପ୍ରତିବର୍ଷ ଏହି ରୋଗରେ ନୀରିହ ଶିଶୁମାନଙ୍କର ପ୍ରାଣହାନୀ ଘଟିଲା । ଗତ ୪୦ ବର୍ଷରେ ପ୍ରାୟ ୧୦ ହଜାର ଶିଶୁ ଏହି ରୋଗରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ତଥ୍ୟ କିଛି ଏଭଳି ସାଂଘାତିକ ଦିଗକୁ ସାମ୍ନାକୁ ଆଣିକଛି । ଏହି ରୋଗରେ ୨୦୦୫ରେ ସବୁଠାରୁ ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ୨୦୧୫ ତୁଳନାରେ ୨୦୧୬ରେ ୧୫ ପ୍ରତିଶତ ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

୧୯୭୭ରେ ପ୍ରଥମ ଥର ପାଇଁ ଯେତେବେଳେ ଏହି ସମସ୍ୟା ସାମ୍ନାକୁ ଆସିଥିଲା ସେହି ବର୍ଷ ୨୭୪ ଶିଶୁଙ୍କ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହୋଇଥିଲେ ସେଥିରୁ ୫୮ ଜଣ ଶିଶୁଙ୍କର ଜୀବନ ଯାଇଥିଲା । ଆଉ ସେବେଠାରୁ ଏହି ରୋଗ ପ୍ରତିବର୍ଷ ଶିଶୁଙ୍କ ପାଇଁ ଘାତକ ସାଜି ଆସିଛି । ୨୦୦୫ରେ ଏହି ରୋଗରେ ୧୫୦୦ଶିଶୁଙ୍କର ମୃତ୍ୟୁ ହୋଇଥିଲା । ୨୦୦୬ରେ ୫୨୮, ୨୦୦୭ରେ ୫୫୪, ୨୦୦୮ରେ ୫୩୭, ୨୦୦୯ରେ ୫୫୬, ୨୦୧୦ରେ ୫୪୧, ୨୦୧୧ରେ ୫୪୫, ୨୦୧୨ରେ ୫୩୨, ୨୦୧୩ରେ ୫୭୬, ୨୦୧୪ରେ ୫୦୦ ଶିଶୁଙ୍କର ମୃତ୍ୟୁ ଏନସେଫାଇଲାଟିସ ରୋଗରେ ପ୍ରାଣ ହରାଇଥିଲେ ।
ଓଡିଶାରେ ବି ଏନସେଫାଲାଇଟିସ୍ ବିପଦ

ଏନସେଫାଲାଇଟିସ୍ ରୋଗ ଯେ କେବଳ ଉତ୍ତରପ୍ରଦେଶ ସରକାର ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିଲା ତା ନୁହେଁ, ବରଂ ଗତବର୍ଷ ଓଡିଶା ସରକାରଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଥିଲା । ଯେଉଁଥିରେ କଅଁଳା ଶିଶୁମାନେ ମୃତ୍ୟୁବରଣ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଥିଲା । ଶିଶୁମୃତ୍ୟୁୁର କାରଣ ଖୋଜିବାକୁ ଟିମ ମଧ୍ୟ ଆସିଲେ । ହେଲେ ଟୀକାକରଣ ଓ ମଶାମରା ପ୍ରସଙ୍ଗରେ କାହାର କଣ ଆଭିମୁଖ୍ୟ ତାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ରାଜନୈତିକ ରୁଟିସେକା ଭିତରେ ବିଜେଡି ଓ ବିଜେପି ପରସ୍ପରକୁ କାଦୁଅ ଫିଙ୍ଗିବାକୁ ମଧ୍ୟ ପଛାଇନଥିଲେ ।

ପ୍ରତିବର୍ଷ ଡିସେମ୍ବର ମାସରେ ରାଜ୍ୟରେ ଶିଶୁଙ୍କର ମୃତ୍ୟୁ ହେଉଥିବା ବେଳେ କାହିଁକି ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା । ହେଲେ କେନ୍ଦ୍ର ଟୀକାକରଣ କରିବାକୁ ମନା କରିଥିବା କଥା କହିଥିଲା ବିଜେଡି । ଯାହାକୁ ନେଇ ସ୍ଥିତି ହୋଇଥିଲା ସରଗରମ । କିନ୍ତୁ ଚଳିତବର୍ଷ ଆଗୁଆ ପଦକ୍ଷେପ ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କୁ ମଶାରୀ ବାଂଟିବା ସହ ସଚେତନତା କରୁଥିବା ଦେଖିବାକୁ ମିଳିଛି ।