ରାଷ୍ଟ୍ରପତି ଭବନରୁ ନୁହେଁ, ଅହମ୍ମଦାବାଦରୁ ପୁଅର ଶପଥଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିଲେ ମା’ ହୀରାବେନ । ତାଳି ମାରିବା ସହ ମୋଦିଙ୍କୁ ଦେଲେ ଆର୍ଶୀବାଦ

393

କନକ ବ୍ୟୁରୋ : ମା’ ଦେଖିଲେ ମୋଦିଙ୍କ ଶପଥ । ନୂଆଦିଲ୍ଲୀରେ ନୁହେଁ ବରଂ ପରଦାରେ । ଗୋଟିଏ ପଟେ ଆଜି ନୂଆଦିଲ୍ଲୀରେ ପୁଅ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲେ ଓ ଅନ୍ୟପଟେ ଅହମ୍ମଦାବାଦରେ ବସି ଟିଭି ପରଦାରେ ପୁଅର ଶପଥ ଗ୍ରହଣ ଉତ୍ସବକୁ ମନଭରି ଦେଖୁଥିଲେ ମା’ ହୀରାବେନ ମୋଦି । ନୂଆଦିଲ୍ଲୀରେ ହେଉଥିବା ଶପଥ ଗ୍ରହଣତ୍ତଉତ୍ସବକୁ ମା’ ଯାଇନଥିଲେ ମଧ୍ୟ ଗାନ୍ଧୀନଗରରୁ ଟିଭି ଶପଥଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିବା ସହ ମୋଦିଙ୍କୁ ଆର୍ଶୀବାଦ ଦେଇଥିଲେ ।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଦେଖୁଥିବା ବେଳେ ବେଶ ଖୁସି ଜଣାପଡୁଥିଲେ ମା’ ହୀରାବେନ ମୋଦି । ଏପରିକି ମୋଦିଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଉଥିବା ବେଳେ ଟିଭି ଆଗରେ ବସିଥିବା ମା’ଙ୍କୁ ତାଳି ମାରିବାର ଦେଖିବାକୁ ମିଳିଥିଲା । ପୁଅ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଉଥିବ ଆଉ ମା’ ଖୁସି ହେବନି ବା କେମିତି । ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଦେଖିବା ସମୟରେ ବେଶ ଭାବବିହ୍ୱଳ ହୋଇପଡିଥିଲେ ମା’ ।

ମୋଦି ଓ ତାଙ୍କ ମା’ଙ୍କ ମଧ୍ୟରେ ଥିବା ଭଲପାଇବା ପୂରା ଦେଶ ଦେଖିଛି । ଏପରିକି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଗାନ୍ଧୀନଗର ଯିବା ସହ ମା’ଙ୍କ ଆର୍ଶୀବାଦ ନେଇଥିଲେ ମୋଦି । ଏପରିକି ନିର୍ବାଚନ ପୂର୍ବରୁ ମଧ୍ୟ ନିଜ ମା’ଙ୍କୁ ଭେଟିଥିଲେ ମୋଦି । ବଡ ବଡ କାମ କରିବା ପୂର୍ବରୁ ମା’ଙ୍କ ଆର୍ଶୀବାଦ ନେବାକୁ ଭୁଲିନଥାନ୍ତି ମୋଦି ।

ଆଜି ମୋଦି ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ନିଜ ମନ୍ତ୍ରିମଣ୍ଡଳରେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୨୪ ରାଷ୍ଟ୍ରମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ପାହ୍ୟା)ଙ୍କୁ ସୁଯୋଗ ଦେଇଛନ୍ତି ମୋଦି । ଯେଉଁଥିରେ କିଛି ନୂଆ ଓ କିଛି ପୁରୁଣା ଚେହେରାଙ୍କୁ ଦେଖିବାକୁ ମିଳିଛି । ଖାସକରି ଗତ ଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅଧିକାଂଶ ନେତାଙ୍କୁ ପୁଣିଥରେ ରିପିଟ୍ କରିଛନ୍ତି ମୋଦି । ଯେଉଁ ତାଲିକାରେ ରାଜନାଥ ସିଂହ,ନୀତିନ ଗଡକରୀ, ଅମିତ ଶାହା,ନିର୍ମଳା ସୀତାରମଣ,ଧର୍ମେନ୍ଦ୍ର ପ୍ରଧାନ, ହରସିମରତ କୌର, ଏସ୍ ଜୟଶଙ୍କର, ମୁକ୍ତାର ଆବାସ ନକଭି, ସ୍ମୃତି ଇରାନୀ, ମହେନ୍ଦ୍ର ନାଥ ପାଣ୍ଡେ, ପ୍ରହ୍ଲାଦ ଯୋଶୀ, ରାମବିଳାଶ ପାସୱାନ,ରବିଶଙ୍କର ପ୍ରସାଦ,ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ,ରବିଶଙ୍କର ପ୍ରସାଦ, ଅରବିନ୍ଦ ଗଣପତ ରାଜୁ, ଗିରିରାଜ ସିଂହ, ପ୍ରକାଶ ଜାଭଡେକରଙ୍କ ଭଳି ବଡ ନାଁ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛି ।

ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଚଳିତ ଥର ସୁଷମା ସ୍ୱରାଜ,ଅରୁଣ ଜେଟଲୀ ଓ ମାନେକା ଗାନ୍ଧୀଙ୍କ ଭଳି ବଡ ଚେହେରାଙ୍କୁ ଦେଖିବାକୁ ମିଳିନାହିଁ । ସୁଷମା ଓ ଅରୁଣ ନିଜ ତରଫରୁ ମନ୍ତ୍ରିମଣ୍ଡଳରେ ନ ରହିବାକୁ ପୂର୍ବରୁ କହିଥିବା ବେଳେ ମାନେକା ଗାନ୍ଧୀଙ୍କୁ କାମଚଳା ବାଚସ୍ପତି ଭୂମିକାରେ ଦେଖିବାକୁ ମିଳିପାରେ । ପୂର୍ବରୁ ସୁଷମା ବୈଦଶିକ ବ୍ୟାପାର ମନ୍ତ୍ରୀ ଥିବା ବେଳେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।