‘ମମତା’ ପାଇଁ ମୁହାଁମୁହିଁ ! ନବୀନଙ୍କ ମହିଳା ଭୋଟ ଦୁର୍ଗରେ ଧସେଇ ପଶିଲେ ମୋଦି

34

କନକ ବ୍ୟୁରୋ : ଗର୍ଭବତୀ ମହିଳାଙ୍କ ପାଇଁ ନବୀନଙ୍କ “ମମତା’’ ଯୋଜନାର ଭୋଟକୁ ହାତେଇବାକୁ ଯାଉଛନ୍ତି ମୋଦି । ବିମୁଦ୍ରାକରଣ ପରେ ଗର୍ଭବତୀ ମହିଳାଙ୍କ ପୁଷ୍ଟିସାଧନ ପାଇଁ ଏଣିକି ୬ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ନବୀନ ସରକାର ଏମାନଙ୍କ ପାଇଁ ୫ ହଜାର ଟଙ୍କା ସହାୟତା ଦେଉଥିବା ବେଳେ ମୋଦିଙ୍କ ଘୋଷଣା ଓଡ଼ିଶାର ମହିଳାଙ୍କୁ କିଭଳି ଲାଭ ଦେବ ସେ ନେଇ ରାଜନୀତି ଆରମ୍ଭ ହୋଇଛି ।

୨୦୧୧ ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର କେବଳ ଦୁଇଟି ଜିଲ୍ଲା ବରଗଡ଼ ଓ ସୁନ୍ଦରଗଡ଼ ପାଇଁ କେନ୍ଦ୍ର ସରକାର ୪ ହଜାର ଟଙ୍କା ସହାୟତା ଯୋଗାଇ ଦେଉଥିଲେ । ମାତ୍ର ଓଡ଼ିଶା ସରକାର ସବୁ ଜିଲ୍ଳାରେ ଗର୍ଭବତୀ ମହିଳା ଓ ନବଜାତକ ଶିଶୁମାନଙ୍କର ମା’ଙ୍କ ପୁଷ୍ଟିସାଧନ ପାଇଁ ୫ ହଜାର ଟଙ୍କା ଦେବା ଆରମ୍ଭ କରିଥିଲେ । ଏବେ ଏଭଳି ଏକ ଯୋଜନାରେ ରହିଥିବା ଭୋଟକୁ ହାତେଇବାକୁ ବସିଛନ୍ତି ମୋଦି । ମୋଦି ସାରା ଦେଶରେ ଗର୍ଭବତୀ ମହିଳାମାନଙ୍କୁ ସିଧାସଳଖ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ମମତା ଯୋଜନାରେ ନବୀନ ସରକାର ବର୍ଷକୁ ପ୍ରାୟ ୨୩୦ କୋଟି ଟଙ୍କାର ସହାୟତା ବାଂଟୁଛନ୍ତି । ଆଉ ଏଥିରେ ଉପକୃତ ହେଉଛନ୍ତି ପ୍ରାୟ ୫ ଲକ୍ଷ ଗର୍ଭବତୀ ମହିଳା । ମାତୃମୃତ୍ୟୁ ଓ ଶିଶୁମୃତ୍ୟୁ ହାର କମାଇବାରେ ଏହି ଯୋଜନା ସହାୟକ ହେଉଛି । ତେବେ ମୋଦିଙ୍କ ଏହି ଘୋଷଣା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ।

ନବୀନଙ୍କ ଭୋଟ୍ ହାତେଇବା ପାଇଁ ମୋଦିଙ୍କ ବିଜେପି ସରକାର କୌଣସି ସୁଯୋଗ ହାତଛଡ଼ା କରୁନଥିବା ଦେଖାଯାଉଛି । ସବୁ ଶ୍ରେୟ ନବୀନଙ୍କ ମୁଣ୍ଡରେ ଯିବାରେ ବିଶ୍ୱାସ କରୁନି ବିଜେପି । ଆଗାମୀ ଦିନରେ ଏହା ନିର୍ବାଚନର ଫଳାଫଳରେ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି ।

ଦେଖନ୍ତୁ ଏହି ଭିଡିଓ :