ମଡକ ପରେ ମିଶନ୍ ନଗଡା : ୧୯ ଶିଶୁ ମଲା ପରେ ସରକାରଙ୍କ ମନେ ପଡିଲା ନଗଡାର ବିକାଶ କଥା

44

କନକ ବ୍ୟୁରୋ : ଅନାହାର ଓ ଅପମୃତ୍ୟୁର ଗଡ ନଗଡାର ହେବ ବିକାଶ । ଜଳିବ ବିଜୁଳି । ମିଳିବ ପାନୀୟ ଜଳ । ଗାଁକୁ ତିଆରି ହେବ ପକ୍କା ରାସ୍ତା । ଲୋକଙ୍କୁ ଦିଆଯିବ ଉତମ ସ୍ୱାସ୍ଥ୍ୟ ସୁବିଧା । ଆଉ ଅଭିଶପ୍ତ ହେବନି ଶୈଶବ । ବଦଳିବ ନଗଡାର ନଗ୍ନ ଚିତ୍ର । ନଗଡାର ବିକାଶ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଗଠନ ହୋଇଛି ଟାସ୍କ ଫୋର୍ସ । ନିଯୁକ୍ତ ହେବେ ବିଭାଗୱାରୀ ନୋଡାଲ ଅଫିସର । ସମସ୍ତେ ଉନ୍ନୟନ କମିଶନରଙ୍କୁ ସିଧାସଳଖ ରିପୋର୍ଟ କରିବେ । ଆଉ ନେତୃତ୍ୱ ନେବେ ଆରଡିସି ।

ସେପଟେ ଓଡିଶାରେ ସୋମାଲିଆର ଏହି ଚିତ୍ର ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୀତି । ଅପହଂଚ ଗାଁରେ ପାଦପଡିଛି ରାଜନେତାଙ୍କର । ଶିଶୁମୃତ୍ୟୁର ସ୍ଥିତି ଅନୁଧ୍ୟାନ କରିଛି ବିଜେପି ଟିମ୍ । ବହୁ କଷ୍ଟରେ ପାହାଡିଆ ଗାଁରେ ପହଁଚିଛନ୍ତି ବିଜେପି ନେତା । ଅତି ନିକଟରୁ ପରଖିଛନ୍ତି ନଗଡାର ନଗ୍ନ ଚିତ୍ର । ଶାସକ ଦଳ ଉପରେ ଆକ୍ରମଣ ପାଇଁ ବିରୋଧୀ କଂଗ୍ରେସକୁ ବି ମିଳିଯାଇଛି ମୌକା । ଦଳ ପ୍ରଶ୍ନ କରିଛି, ଗଣମାଧ୍ୟମ ଯାଇପାରୁଛି ହେଲେ ପ୍ରଶାସନ କାହିଁକି ପହଁଚିପାରୁନି । ସେପଟେ ନଗଡା ପରିସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଘେରିଛି ବିଜେଡି । ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇ ନଗଡ଼ା ଲୋକଙ୍କ ପାଇଁ ଜୁଏଲ୍ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ।

୧୯ ଶିଶୁ ମଲେଣି । ଜୀବନ ସହ ସଂଗ୍ରାମ କରୁଛନ୍ତି ଆହୁରି ୨୦ ଜଣ । ଗଣମାଧ୍ୟମରେ ଘନ ଘନ ପ୍ରସାରିତ ହେଲା ନଗଡାର ନଗ୍ନ ଚିତ୍ର । ଏହାପରେ ଚେତିଛି ପ୍ରଶାସନ । ଆଉ ଆରମ୍ଭ ହୋଇଛି ରାଜନୀତି ।