ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀରେ ପହଂଚିଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ।

46

କନକ ବ୍ୟୁରୋ : ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ତିନି ଠାକରୁଙ୍କୁ ରଥରେ ଟିକିଏ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ହଜାର ହଜାର ଭକ୍ତ ପୁରୀକୁ ଛୁଟି ଆସିଛନ୍ତି । ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ ସିଂହଦ୍ୱାରରେ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଅପେକ୍ଷା କରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ଟିକିଏ ଆଖି ପୂରାଇ ଦେଖିବେ ବୋଲି ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ବଡଦାଣ୍ଡରେ ପହଂଚି ଶ୍ରୀବିଗ୍ରହଙ୍କ ଆଶୀର୍ବାଦ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ବଡଦାଣ୍ଡରେ କିଛି ସମୟ ବିତାଇବା ପରେ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନରେ ଯାଇ ବସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିବା ସହ ସମସ୍ତଙ୍କୁ ରଥଯାତ୍ରା ଅଭିନନ୍ଦନ ଜଣାଇଥିଲେ । ପୂର୍ବରୁ ରାଜ୍ୟପାଳ ପୁରୀରେ ପହଂଚି ଚତୁର୍ଦ୍ଧମୂର୍ତ୍ତିଙ୍କ ଦିବ୍ୟ ପହଣ୍ଡି ଦର୍ଶନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରୀ ବଡଦାଣ୍ଡରେ ପହଂଚିଛନ୍ତି ଓ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି କି “ଲୋକଙ୍କୁ ଆଶୀର୍ବାଦ ଦେବା ପାଇଁ ଆଜି ଠାକୁର ରଥାରୁଢ଼ ହେବେ । ପୃଥିବୀର ଏକମାତ୍ର ଆରାଧ୍ୟ ଦେବତା ଯିଏ ଜନତାଙ୍କ ପାଖକୁ ଯାଆନ୍ତି । ପୁରୀରେ ଏକମାତ୍ର ବ୍ୟବସ୍ଥା ଅଛି ଯେଉଁଠି ଜଗତ ପାଖକୁ ନାଥ ଯାଆନ୍ତି । ସେଥିପାଇଁ ତାଙ୍କୁ ଜଗତର ନାଥ ବା ଜଗନ୍ନାଥ କୁହାଯାଏ ।” ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଦେଶବାସୀ ଖୁସିରେ ରହିବା ସହ ଆମ ଦେଶ ଉନ୍ନତିର ଶୀର୍ଷରେ ପହଞ୍ଚୁ ବୋଲି କାମନା କରିଛନ୍ତି ମୋଦି ।

ବାର୍ଷିକ ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପାରମ୍ପରିକ ନୈବେଦ୍ୟ ପଠାଇଛନ୍ତି । ଗତ କେତେ ବର୍ଷ ହେବ ରଥଯାତ୍ରା ପୂର୍ବରୁ ମୋଦି ନୈବେଦ୍ୟ ପଠାଇ ଆସୁଛନ୍ତି । ମନ୍ଦିରର ମୁଖ୍ୟ ପୁରୋହିତ ଦିଲୀପ ଦାସଜୀ ମହାରାଜ କହନ୍ତି, ସବୁ ଥର ପରି ପ୍ରଧାନମନ୍ତ୍ରୀ ନିଜ କଥା ରଖି ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ ପଠାଇଛନ୍ତି। ଏ ସବୁ ପ୍ରଭୁ ଜଗନ୍ନାଥଙ୍କୁ ଲାଗି କରାଯିବ । ମନ୍ଦିରର ଟ୍ରଷ୍ଟି ମହେନ୍ଦ୍ର ଝା କହନ୍ତି, ଆଦ୍ୟ କାଳରେ ଅଳ୍ପ କିଛି ଦିନ ମୋଦି ମନ୍ଦିରରେ ରହୁଥିଲେ। ଜୀବନର ଆଦ୍ୟ କାଳରେ ଅନାମଧେୟ ଥିବା ମୋଦି ଏହି ମନ୍ଦିର ସହ ସମ୍ପୃକ୍ତ ଥିଲେ । ରଥଯାତ୍ରା ସମୟରେ ଗଜାମୁଗ ଓ ଜାମୁକୋଳି ଜଗନ୍ନାଥଙ୍କୁ ଲାଗି କରାଯିବାର ପାରମ୍ପରିକ ବିଧି ।