ଆଜିଠାରୁ ବିଜେପିର ‘ମଣ୍ଡିଚାଲ ଅଭିଯାନ’ । ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗ ବିରୋଧରେ କରିବ ପ୍ରତିବାଦ

24

କନକ ବ୍ୟୁରୋ: ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛି ବିଜେପି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡି ନଖୋଲିବା, ଚାଷୀଙ୍କ ଠାରୁ ଧାନ ସଂଗ୍ରହରେ ବିଳମ୍ବ, ଏଫଏକ୍ୟୁ ଆଳରେ କ୍ୱିଂଟାଲ ପ୍ରତି ୩ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟିଦେବା, ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ମିଲ ମାଲିକ- ଜିଲ୍ଲା ପ୍ରଶାସନ- ସମବାୟ ବିଭାଗର ମଧୁ ଚନ୍ଦ୍ରିକାରେ ଚାଷୀଙ୍କୁ ଶୋଷଣ ଆଦିର ଅଭିଯୋଗ ଚାଷୀ ପ୍ରତିନିଧିମାନେ କରିଥିଲେ ।

 

 

ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଜେପିର ମଣ୍ଡିଚାଲ ଅଭିଯାନ ଆରମ୍ଭ କରୁଛି । ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ଜଣାପଡିଛି । ଧାନ ସଂଗ୍ରହ ପାଇଁ ଏକ ଗାଇଡ ଲାଇନ ଥିବା ସତ୍ୱେ ସମସ୍ତ ମଣ୍ଡିରେ ବ୍ୟାପକ ଅନିୟମିତତା ଦେଖାଦେଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି । ଆଜି ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

 

 

ସୂଚନା ଥାଉ କି , ଏକ ପ୍ରେସ୍ ବିବୃତିରେ କୃଷକ ମୋର୍ଚ୍ଚା କହିଛି, ଧାନ ସଂଗ୍ରହ କରିବାକୁ ନେଇ ଏକ ଗାଇଡଲାଇନ୍ ଥିବା ସତ୍ତ୍ୱେ ସମସ୍ତ ମଣ୍ଡିରେ ବ୍ୟାପକ ଅନିୟମିତତା ଦେଖାଦେଇଛି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଥିଲା ବେଳେ ଶାସକ ବିଜେଡିର ପ୍ରରୋଚନାରେ ମଣ୍ଡିଗୁଡ଼ିକରେ କମ୍ ମୂଲ୍ୟରେ ଧାନ ସଂଗ୍ରହ କରାଯାଉଛି । ଶାସକ ବିଜେଡି ଓ ଧାନ ମିଲରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି । ଆଗାମୀ ଦିନରେ ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ମଣ୍ଡିରେ ପ୍ରତିବାଦ ସହ ଚାଷୀର ହକ୍ ପାଇଁ ଲଢ଼େଇ କରାଯିବ ।