ବିଶ୍ୱବ୍ୟାଙ୍କରୁ ଭାରତ ପାଇଁ ଆଶ୍ୱସ୍ତିକର ଖବର ! ୨୦୧୮ରେ ଦେଶର ଅବିବୃଦ୍ଧି ହାର ୭ ଦଶମିକ ୩ ପ୍ରତିଶତ ଆକଳନ

44

କନକ ବ୍ୟୁରୋ : ୱାସିଂଟନରୁ ଆସିଲା ଭାରତ ପାଇଁ ଖୁସି ଖବର । ଭାରତୀୟ ଅର୍ଥନୀତି ପାଇଁ ଆଶ୍ୱସ୍ତି ଆଣିବା ଭଳି ଖବରଟିଏ ଆସିଛି ବିଶ୍ୱବ୍ୟାଙ୍କରୁ । ୨୦୧୮ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ୭ ଦଶମିକ୍ ୩ ପ୍ରତିଶତ ଆକଳନ କରିଛି ବିଶ୍ୱବ୍ୟାଙ୍କ । ଭାରତ ସରକାରଙ୍କ ମହତକାଂକ୍ଷୀ ସଂସ୍କାରକୁ ପ୍ରଶଂସା କରିବା ସହ ଭାରତର ବିଶାଳ ଅଭିବୃଦ୍ଧି କ୍ଷମତା ଥିବା ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଅର୍ଥନୈତିକ ଅଭିବୃଦ୍ଧିରେ ଆଗୁଆ ଥିବା ରାଷ୍ଟ୍ରଗୁଡ଼ିକ ସହ ତୁଳନା କରି ବିଶ୍ୱ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି, ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ୭ ଦଶମିକ୍ ୩ ପ୍ରତିଶତ ରହିବାର ସଂଭାବନା ରହିଛି । ସେହିପରି ଆଗାମୀ ଦୁଇବର୍ଷ ଯାଏଁ ଏହା ୭ ଦଶମିକ ୫ ପ୍ରତିଶତ ଆକଳନ କରାଯାଇଛି । ବିମୁଦ୍ରାକରଣ ଏବଂ ଜିଏସଟି ଭଳି ବଡ ନିଷ୍ପତି ସତ୍ୱେ ଭାରତର ଅଭିବୃଦ୍ଧି ଗତବର୍ଷ ୬ ଦଶମିକ ୭ ପ୍ରତିଶତ ରହିଛି । ବିଶ୍ୱବ୍ୟାଙ୍କ ରିଲିଜ୍ କରିଥିବା ଗ୍ଲୋବାଲ ଇକୋନୋମିକ୍ସ ପ୍ରୋସପେକ୍ଟରେ ଭାରତ ନେଇ ଏଭଳି ଏକ ଆକଳନ କରାଯାଇଛି ।

ଆଗାମୀ ୧୦ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିରେ ଆଗୁଆ ଥିବା ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ଅଭିବୃଦ୍ଧି ଢ଼େର ଅଧିକ ରହିବ । ସ୍ୱଳ୍ପକାଳୀନ ଭିତିରେ ନୁହେଁ ବରଂ ଦୀର୍ଘକାଳୀନ ଭିତରେ ଏକ ବଡ ଲମ୍ଫ ମାରିବା ପାଇଁ ଭାରତର କ୍ଷମତା ରହିଛି ବୋଲି କହିଛନ୍ତି, ବିଶ୍ୱବ୍ୟାଙ୍କର ଡେପଲମେଂଟ୍ ପ୍ରୋସପେକ୍ଟର ନିର୍ଦ୍ଦେଶକ ୟାହାନ୍ କୋସେ । ଚାଇନା ସହ ତୁଳନା କରି ସେ କହିଛନ୍ତି, ଭାରତ କ୍ରମାଗତ ଭାବରେ ଆଗାଉଥିବା ବେଳେ ଚାଇନାର ଗତି ମନ୍ଥର ହେଉଛି । ବିଗତ ୩ବର୍ଷରେ ଭାରତର ଅଭିବୃଦ୍ଧି ହାର ସୁସ୍ଥ ରହିଥିବା ସେ ସୂଚନା ଦେଇଛନ୍ତି ।

୨୦୧୭ରେ ଚୀନର ଅଭିବୃଦ୍ଧି ହାର ୬ଦଶମିକ ୮ ପ୍ରତିଶତ ଥିବା ବେଳେ ଭାରତ କେବଳ ଶୂନ ଦଶମିକ୍ ୧ ପ୍ରତିଶତ ପଛୁଆ ଥିଲା । ତେବେ ଦେଶରେ ମହିଳା ଶ୍ରମ ବିକାଶ କ୍ଷେତ୍ରରେ ଭାରତକୁ ଗୁରୁତ୍ୱ ଦେବାର ଆବଶ୍ୟତା ରହିଛି ବୋଲି କୋସେ କହିଛନ୍ତି । ଅଭିବୃଦ୍ଧିରେ ଆଗୁଆ ଥିବା ରାଷ୍ଟ୍ରଗୁଡ଼ିକରେ ମହିଳା ଶ୍ରମଙ୍କ ଯୋଗଦାନ ଥିବା ବେଳେ ଭାରତରେ ଏହା ତୁଳନାତ୍ମକ ଦୃଷ୍ଟିରୁ କମ୍ ବୋଲି କୁହାଯାଇଛି ।