ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ! ରାତି ୧୧ଟା ୫୪ରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ ।

193

କନକ ବ୍ୟୁରୋ : ଆଜି ଆଷାଢ଼ ପୂଣ୍ଣିମାରେ ଏ ଶତାବ୍ଦୀର ସବୁଠୁ ବଡ ଚନ୍ଦ୍ର ଗ୍ରହଣ ହେବ । ଗ୍ରହଣର ୯ଘଂଟା ପୂର୍ବରୁ ଅର୍ଥାତ୍ ଆଜି ଅପରାହ୍ନ ୨ଟା ୪୫ମିନିଟ୍ରୁ ପାକତ୍ୟାଗ ଓ ଦେବ ନୀତି ନିଷିଦ୍ଧ ରହିବ । ରାତି ୧୧ଟା ୫୩ମିନିଟ୍ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଏବଂ ରାତି ୧ଘଂଟା ୧୫ ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଆରମ୍ଭ ହୋଇ ୨ଟା ୪୩ମିନିଟି ୧୧ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଶେଷ ହେବ । ପୂର୍ଣ୍ଣଗ୍ରାସ ଶେଷ ହେବା ପରେ ରାତି ୩ଟା ୪୯ ମିନିଟ୍ ୩ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ଅନୁଷ୍ଠିତ ହେବ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ତେବେ ଅନ୍ୟ ଦେବାଳୟରେ ସର୍ବମୋକ୍ଷ ପରେ ଦେବ ନୀତି କରାଯିବାର ବ୍ୟବସ୍ଥା ଥିବାବେଳେ ଶ୍ରୀମନ୍ଦିରରେ କିନ୍ତୁ ଏହାର ସ୍ୱତନ୍ତ୍ରତା ରହିଛି । ଗ୍ରହଣ ସ୍ପର୍ଶ ପରେ ଓ ଗ୍ରହଣ ଲାଗିଥିବା ସମୟରେ କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ।

ଆଜି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ । ରାତି ୧୦ଟା ୪୪ରୁ ଏହା ଆରମ୍ଭ ହେବ । ରାତି ୧୧ଟା ୫୪ ମିନିଟରୁ ଜୁଲାଇ ୨୮ ତାରିଖ ଭୋର ୩ଟା ୪୯ ଯାଏଁ ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦେଖିହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରାତି ଗୋଟାଏରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ ଯାଏଁ ଦୃଶ୍ୟମାନ ହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ରକ୍ତବର୍ଣ୍ଣର ଚନ୍ଦ୍ର ଦେଖା ଦେବ । ସୂର୍ଯ୍ୟଙ୍କ କିରଣ ବାୟୁମଣ୍ଡଳ ଦେଇ ଗତି କଲା ବେଳେ ନୀଳ ତଥା ସବୁଜ ରଙ୍ଗ ବିଚ୍ଛୁରିତ ହୋଇଥାଏ ଓ କେବଳ ଲାଲ ତଥା ନାରଙ୍ଗି ରଙ୍ଗର ଆଲୋକ ଚନ୍ଦ୍ରରେ ପଡୁ ଥିବାରୁ ରକ୍ତବର୍ଣ୍ଣର ଚନ୍ଦ୍ର ଦେଖା ଦେବ ବୋଲି କୁହାଯାଉଛି ।

ତେବେ ପଠାଣି ସାମନ୍ତି ପ୍ଳାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଗ୍ରହଣ ଓ ପରାଗ ଆଦି ଏକ ସାଧାରଣ ମହାଜାଗତିକ ଘଟଣା । ଏହାର କୋ÷ଣସି ପ୍ରଭାବ ପୃଥୀବି ଉପରେ ପଡେ ନାହିଁ । ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ୧୦୪ ବର୍ଷ ପରେ ଅର୍ଥାତ ୨୧୨୩ ମସିହା ଜୁନ୍ ମାସ ୯ତାରିଖରେ ପୁଣି ଏହି ପରି ଏକ ଚନ୍ଦ୍ରଗ୍ରହଣ ଦେଖାଦେବ ବୋଲି କହିଛନ୍ତି । ସେତେବେଳେ ଏହା ୧ଘଂଟା ୪୬ ମିନିଟ୍ ଧରି ଦୃଶ୍ୟମାନ ହେବ ।