ଆସୁଛନ୍ତି ଗଜଲକ୍ଷ୍ମୀ : ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସୁଛି ଢ଼େଙ୍କାନାଳ ସହର

817
କନକ ବ୍ୟୁରୋ : ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ରାଜ୍ୟରେ ଢେଙ୍କାନାଳ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ୧୧ ଦିନ ବ୍ୟାପି ହେବାକୁ ଥିବା ପୂଜାର ବିଶେଷତ୍ୱ ପୂଜା ମଣ୍ଡପର ମୃଣ୍ମୟ ମୂର୍ତି ଏବଂ ଆଲୋକ ସଜ୍ଜା । ୩୮ ଟି ମଣ୍ଡପର ସମସ୍ତ ସାଜସଜ୍ଜା କାର୍ଯ୍ୟ ଏବେ ଚୂଡାନ୍ତ ପର୍ଯ୍ୟାୟରେ ।
ଆସନ୍ତାକାଲି ଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ପ୍ରସିଦ୍ଧ ।  ମା’ଙ୍କ ଆଗମନୀ ପୂର୍ବରୁ ଏବେ ସାରା ସହର ଚଳଚଂଚଳ । ଚଳିତବର୍ଷ ସହରରେ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇବେ । ସେଥପାଇଁ ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ମୂର୍ତ୍ତି ନିର୍ମାଣ କାମ ପୁରା ଜୋରଦାର ଚାଲିଛି । ସୁଉଚ୍ଚ ତୋରଣ ଏବଂ ଆଲୋକ ସଜ୍ଜାକୁ ସବୁ ଅନୁଷ୍ଠାନ ଗୁରୁତ୍ୱ ଦେଉଛନ୍ତି । ମୀନା ବଜାର, ଗଣେଷ ବଜାର, କୈ÷ବଲ୍ୟ ବଜାର ଚାନ୍ଦି ମେଢ ଏବଂ ସୁନା ମୁକୁଟ ଚଳିତ ବର୍ଷ ଦର୍ଶକମାନକଂ ମୁଖ୍ୟ ଆକର୍ଷଣ ପାଲଟିବ । ଜବାହାର ଚୌକ ପୂଜା ଅନୁଷ୍ଠିତ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି । ଚଳିତ ଥର ପୂଜାକୁ ଜାକଜମକ କରିବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି ।
ଅନ୍ୟପଟେ ୧୧ ଦିନ ବ୍ୟାପୀ ପୂଜାରେ ବିଶେଷ ରହିଛି ଜାତୀୟ ସ୍ତରର ସରସ ମେଳା । ୨୫ଟି ରାଜ୍ୟର ବିଭିନ୍ନ ଘରୋଇ ଉପକରଣ, ସାଜସଜା ସାମଗ୍ରୀ ଠାରୁ ବସ୍ତ୍ର ଆଭୁଷଣର ୪୫୦ଟି ଷ୍ଟଲ ପଡ଼ିବ । ତେବେ ମେଘୁଆ ପାଗ ଏବଂ ବର୍ଷା ଲାଗି ରହୁଥିବାରୁ ପୂଜା ବଜାର ପ୍ରଭାବିତ ହେବାର ଆଶକାଂ ରହିଛି । ମାତ୍ର ମା ଲକ୍ଷ୍ମୀଙ୍କ କୃପା ଏବଂ ଆଶର୍ବାଦ ଯୋଗୁଁ ପାଗ ଅନୁକୁଳ ହେବ ଏବଂ ପୂଜା ବଜାର ଜମିବ ବୋଲି ସ୍ଥାନୀୟ ବାସିନ୍ଦା ତଥା କାର୍ଯ୍ୟକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଏହାସହ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିଳ ନିୟନ୍ତ୍ରଣକୁ କଡାକଡି କରିବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୁଖ୍ୟ ଜନଗହଳି ସ୍ଥାନଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି । ସେହିପରି ସହର ର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଏବଂ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯିବ ସହିତ ସ୍ୱାସ୍ଥ୍ୟସେବା ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି ।