ଆଇଏଏସଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ : ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁକୁ ବ୍ୟବହାର କରି ଲୋକଙ୍କ ଠାରୁ ଟଙ୍କା ଦାବି କଲେ ଦୁର୍ବୃତ୍ତ, ଜିଲ୍ଲାପାଳ ଜାଣିବା ପରେ ଆକାଉଂଟକୁ ବ୍ଲକ କରିବା ପାଇଁ କଲେ ଅପିଲ୍ 

452

କନକ ବ୍ୟୁରୋ : ଆଇଏଏସଙ୍କ ନାଁରେ ନକଲି ଫେସବୁକ ଆକାଉଂଟ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଂଟ ଖୋଲିଲେ ଦୁର୍ବୃତ । ଅଭିଯୋଗ ହୋଇଛି କେହି ଦୁର୍ବୃତ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁରେ ନକଲି ଫେସବୁକ ଆକାଉଂଟ ଖୋଲି ଏହାର ଦୁରୂପଯୋଗ କରିଛନ୍ତି । ଏପରିକି ଆଇଏଏସଙ୍କ ନାଁରେ ନକଲି ଫେସବୁକ ଆକାଉଂଟ ଖୋଲି ଲୋକଙ୍କଠୁ ଟଙ୍କା ଦାବି କରାଯାଇଛି । 

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁକୁ ବ୍ୟବହାର କରି ଟଙ୍କା ଦାବି କରାଯାଉଥିବା ସାମ୍ନାକୁ ଆସିବା ପରେ, ତାଙ୍କ ଫେସବୁକ ଆକାଉଂଟକୁ ବ୍ଲକ କରିବା ଲାଗି ଅପିଲ କରିଛନ୍ତି ଜିଲ୍ଲାପାଳ । ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଭଳି କେବେ କାହାରିଠାରୁ ଟଙ୍କା ଦାବି କରିନାହାନ୍ତି କିମ୍ବା କେବେ କରିବେ ନାହିଁ । ଏପରିକି ଲୋକଙ୍କୁ ଏଭଳି ଦାବିକୁ ଶୁଣି କୌଣସି ପ୍ରକାର ଟଙ୍କା, ପଇସା ନ ଦେବାପାଇଁ ସେ ଅନୁରୋଧ କରିଛନ୍ତି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି କରିଛି ତାର ଛାନଭିନ ହେବା ଜରୁରୀ । 

ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସୋସିଆଲ ମିଡିଆ ଆକାଉଂଟକୁ ଏଭଳି ଅପବ୍ୟବହାର କରୁଥିବା ଦୁର୍ବୃତଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ସବୁଠାରୁ ବଡକଥା ହେଲା ଫେସବୁକ କର୍ତୃପକ୍ଷ ଏଥିପ୍ରତି ଅଧିକ ଯତ୍ନବାନ ହେବା ଦରକାର ବୋଲି ଅନେକ ମଧ୍ୟ ସୋସିଆଲ ମିଡିଆରେ ମତ ଦେଇଛନ୍ତି ।