କୁନ୍ଦୁଲି ଘଟଣାକୁ ନେଇ ମାଷ୍ଟର କ୍ୟାଂଟିନରେ ମହାଭାରତ ! ପୁଲିସ ଉପରକୁ ବିଜେପି କର୍ମୀଙ୍କ ପଥର ମାଡ, ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସର ଲାଠିଚାର୍ଜ

40

କନକ ବ୍ୟୁରୋ : କୁନ୍ଦୁଳି ପୀଡିତାକୁ ନ୍ୟାୟ ଦାବିରେ ଆନ୍ଦୋଳନ କରିଛି ବିଜେପି । ବିଜେପି କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଆଡକୁ ଯାଉଥିବା ବେଳେ ମାଷ୍ଟର କ୍ୟାଂଟିନ ଛକରେ ପୁଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡକରା ଦେଇଛି ଦଳ । କାଲି ୪ଟି ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ପାଳନ କରାଯିବ । ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରାଯିବ । ବିଜେଡି ସହ ମିିଶି କଂଗ୍ରେସ ରାଜନୀତି କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ଉଲ୍ଲେଖଥାଉ କି, କୁନ୍ଦୁଲି ଦୁଷ୍କର୍ମ ପୀଡିତା ଆତ୍ମହତ୍ୟା କରିବା ପରେ ତେଜିଛି ରାଜନୀତି । ଗୋଟିଏ ପଟେ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଡାକରା ଦେଇଛି । ଅନ୍ୟପଟେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍ କୋରାପୁଟକୁ ଯାଇଛନ୍ତି । ସେପଟେ ମୃତଦେହକୁ ରାସ୍ତାରେ ରଖି ୨୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି, ବିଧାୟକ ତାରା ପ୍ରସାଦ ବାହିନୀପତି ।

ମେଡିକାଲରୁ ମୃତଦେହକୁ ଛଡାଇନେଇ କୁନ୍ଦୁଲି ଛକରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଜନତା । ଦୁଷ୍କର୍ମ ପରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ଓ ଡିଆଇଜିଙ୍କ ନିଲମ୍ବନ ଦାବି କରିଛନ୍ତି ପୀଡିତାଙ୍କ ସମ୍ପର୍କୀୟ । ଡାକ୍ତର ଭୁଲ ରିପୋର୍ଟ ଦେଇଥିବା ଅଭିଯୋଗ କରିବା ସହ ଡିଆଇଜି ପୀଡିତାଙ୍କୁ ତାଙ୍କର ମତ ବଦଳାଇବାକୁ ଚାପ ପକାଇଥିବା ଅଭିଯୋଗ କରିଛନ୍ତି । ଉତ୍ତେଜନାକୁ ଆଖି ଆଗରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅକ୍ଟୋବର ୧୦ରେ ଯବାନ ପୋଷାକରେ ୪ଜଣ ଯୁବକ କୁନ୍ଦୁଲିର ଏହି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା । କିନ୍ତୁ ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇ ନଥିବା ରିପୋର୍ଟ ଦେଇଥିଲେ ଡାକ୍ତର । ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ତାପରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

ସେପଟେ କୁନ୍ଦୁଲି ଘଟଣା ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଛନ୍ତି । ଏହାସହ ରିପୋର୍ଟ ମଗାଯାଇଛି ଏବଂ ବିଭାଗ ଯାହା କରିବା କଥା କରୁଛି । ଏହାକୁ ନେଇ ରାଜନୀତି କରାନଯାଉ । ଘଟଣାର ନ୍ୟାୟିକ ତଦନ୍ତ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।