ଭୋଟ ଦିଅ ଭତ୍ତା ନିଅ ! କେନ୍ଦୁଝରରେ ଚାଲିଛି ବିଧାୟକ ସନା ମହାକୁଡଙ୍କ ସମାନ୍ତରାଳ ଶାସନ

21

କନକ ବ୍ୟୁରୋ : ନିର୍ବାଚନ ଆସିଲେ କଳାଟଙ୍କାର ବର୍ଷା ହୁଏ । ଲୋକଙ୍କୁ ଭୋଜି, ଭାତ ଦିଆଯିବା ସହ ଟଙ୍କା ମଧ୍ୟ ବଂଟା ହୁଏ । ହେଲେ ଭୋଟ ପାଇଁ ଭତା କଥା କେବେ ଶୁଣିନଥିବେ । କିନ୍ତୁ ଭୋଟ ପାଇଁ ନୋଟ୍ ଯାଚୁଛନ୍ତି ନେତା କେନ୍ଦୁଝରର ବାହୁବଳୀ ନେତା ସନାତନ ମହାକୁଡଙ୍କ । ଜିଲ୍ଲାର ଏହି ଅପ୍ରତିଦ୍ୱନ୍ଦି ନେତାଙ୍କ ସମର୍ଥନରେ ଛିଡା ହୋଇଥିବା ପ୍ରାର୍ଥୀ, ଲୋକଙ୍କୁ ମାସିକିଆ ଭତା ଦେବାକୁ କହୁଛନ୍ତି । ଯାହାର ଏକ୍ସକ୍ଲୁସିଭ ଭିଡିଓ କଏଦ୍ ହୋଇଛି କନକ ନ୍ୟୁଜ କ୍ୟାମେରାରେ ।

ଭାଗ୍ୟକୁ ଭରସା କରି ନିର୍ବାଚନୀ ବୈତରାଣୀ ପାରିହେବା ସମ୍ଭବ ନୁହେଁ । ସେଥିପାଇଁ ଭତାର ଲୋଭ ଦେଖାଇ ଭୋଟ କିଣିବାକୁ ଉଦ୍ୟମ କରିଛନ୍ତି ଏହି ବାହୁବଳୀ ନେତା ।

କେନ୍ଦୁଝରକୁ କରାୟତ କରି ରଖିଥିବା ବାହୁବଳି ବିଧାୟକ ସନାତନ ମହାକୁଡ ସରକାରଙ୍କ ଭଳି ସମାନ୍ତରାଳ ଭତା ବାଂଟୁଥିବା ନେଇ ଅନେକ ସମୟରେ ଶୁଣିବାକୁ ମିଳେ । ଆଉ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣିଥରେ ଜିଲ୍ଲା ଦଖଲ କରିବାକୁ ସନାଙ୍କ ଷଡଯନ୍ତ୍ର ପଦାରେ ପଡିଛି । ଏହା ସହ ନିର୍ବାଚନୀ ପରମ୍ପରାକୁ କଳଙ୍କିତ କରି ପ୍ରଥମଥର ଲାଗି ଏଭଳି ମାସିକ ଭତା ବାଂଟିବାର ପ୍ରତିଶ୍ରୁତି କଥା ସାମ୍ନାକୁ ଆସିଛି ।