ମରିନା ବିଚରେ ହେବ କରୁଣାନିଧିଙ୍କ ଶେଷକୃତ୍ୟ : ସମାଧି ପାଇଁ ମାଡ୍ରାସ ହାଇକୋର୍ଟ ଦେଲେ ଅନୁମତି

28

କନକ ବ୍ୟୁରୋ : ଚେନ୍ନାଇର ମରିନା ବିଚରେ ଏମ୍ କରୁଣାନିଧିଙ୍କ ଶେଷକୃତ୍ୟ ହେବ । ମରିନା ବିଚରେ ସମାଧି ପାଇଁ ମାଡ୍ରାସ ହାଇକୋର୍ଟ ଦେଲେ ଅନୁମତି । ରାଜ୍ୟସରକାରଙ୍କ ବିରୋଧ ଯୋଗ୍ୟୁ ସୃଷ୍ଟି ହୋଇଥିଲା ବିବାଦ । କରୁଣାଙ୍କ ମୃତ୍ୟୁ ପରେ ମରିନା ବିଚରେ ଡିଏମକେ ସମାଧିସ୍ଥଳ କରିବାକୁ ଚାହୁଁଛନ୍ତି କିନ୍ତୁ ତାମିଲନାଡୁ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହା ପରେ ମାମଲା ମାଡ୍ରାସ ହାଇକୋର୍ଟରେ ଯାଇ ପହଂଚିଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଶେଷ ସଂସ୍କାର ଓ ସମାଧି ମରିନା ବିଚରେ ହୋଇଥିବାରୁ କରୁଣାନିଧିଙ୍କର କାହିଁକି ହେବନି ବୋଲି ଅଡି ବସିଥିଲା ଡିଏମକେ । ଏପଟେ ରାଜ୍ୟ ସରକାର ଯୁକ୍ତି ବାଢଥିଲେ ଡିଏମକେ ଯେଉଁ ସ୍ଥାନରେ ସମାଧି କରିବା ପାଇଁ ଚାହୁଁଛି ତାହା ବିବାଦୀୟ ସ୍ଥଳ । ତେଣୁ ଗାନ୍ଧି ମଣ୍ଡପମ୍ ସ୍ଥାନରେ ୨ ଏକର ଜାଗାରେ କରୁଣାନିଧିଙ୍କ ସମାଧି କରାଯାଉ । ଆଉ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଗତକାଲି ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଥିଲା ।

ସେପଟେ କରୁଣାନିଧିଙ୍କ ଅନ୍ତିମ ସଂସ୍କାର ଆଜି ଚେନ୍ନାଇରେ ହେବ । ଡିଏମକେ ମୁଖ୍ୟଙ୍କ ପାର୍ଥିବ ଶରୀରକୁ ବର୍ତ୍ତମାନ ଚେନ୍ନାଇର ରାଜାଜୀ ହଲରେ ରଖାଯାଇଛି । ସେଠାରେ ବିଭିନ୍ନ ବର୍ଗର ଲୋକ ଓ ନେତା କରୁଣାଙ୍କୁ ଶେଷ ଦର୍ଶନ କରୁଛନ୍ତି । ଦିନ ଗୋଟାଏ ଯାଏଁ ଏହି ଶେଷଦର୍ଶନ ଚାଲିବ । ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚେନ୍ନାଇ ଯିବେ । ଅନ୍ୟପଟେ ତାଙ୍କର ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସାମିଲ ହେବେ ବୋଲି ଜଣାପଡିଛି । ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି, କରୁଣାନିଧିଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଛି । କରୁଣାନିଧିଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦୀର୍ଘଦିନର ଅସୁସ୍ଥତା ପରେ କରୁଣାନିଧିଙ୍କ ଚେନ୍ନାଇରେ ପରଲୋକ ହୋଇଥିଲା ।