‘ବିଶ୍ୱାସ ପରୀକ୍ଷା’ରେ ଅନ୍ଧବିଶ୍ୱାସର ପାଦ ଚିହ୍ନ ! ସରକାର ବଞ୍ଚାଇବାକୁ ବିଧାନସଭାକୁ ଖାଲି ପାଦରେ ଆସିଲେ ମନ୍ତ୍ରୀ

314

କନକ ବ୍ୟୁରୋ: ବିଧାନସଭାକୁ ଖାଲି ପାଦରେ ଆସିଲେ ମନ୍ତ୍ରୀ । କର୍ଣ୍ଣାଟକ ବିଧାନସଭାର ପବିତ୍ର ଗୃହକୁ ଖାଲି ପାଦରେ ଚାଲିଚାଲି ଆସିଲେ ମନ୍ତ୍ରୀ । ଗୁରୁବାର ଗୃହରେ କୁମାରସ୍ୱାମୀ ସରକାରର ଅଗ୍ନିପରୀକ୍ଷା ଥିବାରୁ ଗୃହରେ ସବୁକିଛି ସଠିକ ଚାଲୁ ଏଇ ବିଶ୍ୱାସରେ ଖାଲି ପାଦରେ ପବିତ୍ର ଗୃହକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଭାଇ ତଥା କର୍ଣ୍ଣାଟକ ସରକାରର ମନ୍ତ୍ରୀ ଏଚ.ଡି ରାବଣା । ନିଜ ଭାଇ ପାଇଁ ବିଶ୍ୱାସର ଭୋଟ ଜିତିବାକୁ ନିଜେ ଅନ୍ଧବିଶ୍ୱାସକୁ ଆପଣେଇ ବିଧାନସଭା ଆସିଥିଲେ ।

କେବଳ ଆଜି ନୁହେଁ ଗତକାଲି ମଧ୍ୟ ଭାଇ କୁମାରସ୍ୱାମୀଙ୍କ ସହ ରାବଣା ଏକ ମଠକୁ ଯାଇଥିଲେ । ଭଗବାନଙ୍କ ଭରସା ଆଉ ଭାଇର ଭବିଷ୍ୟତ ଜାଣିବାକୁ ରାବଣା ଶଙ୍କରପୁରମ୍ ସ୍ଥିତ ଶ୍ରୀଙ୍ଗେରୀ ଶେଖର ମଠକୁ ଯାଇଥିଲେ । ସେଠାରେ ସେ ବିଶ୍ୱାସ ପରୀକ୍ଷା ଜିତିବାକୁ ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି ।

ତେବେ କୁମାରସ୍ୱାମୀ ବିଧାନସଭାରେ ବିଶ୍ୱାସର ପରୀକ୍ଷା ଜିତିବାକୁ ତାଙ୍କ ଭାଇ ଅନ୍ଧବିଶ୍ୱାସକୁ ଆପଣେଇବା କଥା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ସେପଟେ ଆଜି ବିଧାନସଭାରେ ସ୍ୱାମୀ ସରକାରର ଅଗ୍ନିପରୀକ୍ଷା ଆଗରୁ ଆଲୋଚନା ଚାଲିଥିବା ବେଳେ ଗୃହରେ ହୋହଲ୍ଲା, ନାରାବାଜି ଦେଖିବାକୁ ମିଳିଛି । ବିଧାନସଭାରେ ୨୦ ବାଗୀ ବିଧାୟକ ଆଜି ଅନୁପସ୍ଥିତ ରହିଛନ୍ତି । ୨୦ ବାଗୀ ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ୧୪ ବିଧାୟକ ବିଧାନସଭାରେ ଅନୁପସ୍ଥିତ ରହିଛନ୍ତି ।
ସେପଟେ ଅନୁପସ୍ଥିତ ବିଧାୟକଙ୍କୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ ଚାଲିଛି । ବିଧାୟକ ନଥିବାରୁ ଆସ୍ଥା ଭୋଟର ତାରିଖ ଘୁଞ୍ଚାଇବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଦାବି କରିଥିବା ବେଳେ ବିଜେପି ଏହାକୁ ବାଧା ଦେଇଛି । ଗୋଟିଏ ଦିନରେ ନିଷ୍ପତ୍ତି ନେବାକୁ ବିଜେପି ନେତା ୟେଦ୍ଦୁରପ୍ପା ବାଚସ୍ପତିଙ୍କୁ କହିଛନ୍ତି । ତେବେ ଏତେ ସବୁ ଘମାଘୋଟ ଭିତରେ ରାବଣାଙ୍କ ଖାଲି ପାଦ ପ୍ରବେଶ ବେଶ ଚର୍ଚ୍ଚାରେ ରହିଛି ।