ସାବାସ୍ ମେରିନ୍ । ନାବାଳିକାଙ୍କୁ ଦୁଷ୍କର୍ମ କରି ସାଉଦି ଆରବ ଫେରାର ହୋଇଯାଇଥିଲା ଅଭିଯୁକ୍ତ, ୨ ବର୍ଷ ପରେ ସାଉଦି ଆରବରୁ ଗିରଫ କଲେ ଲେଡି ଦବଙ୍ଗ ଅଫିସର ।

2,904

ସାଧାରଣରେ ପୋଲିସର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ରହିଛି । ଅନେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବା ବେଳେ ପୋଲିସ ଉପରେ ଲୋକଙ୍କ ଭରସା ରହୁନାହିଁ । ଏଭଳି କ୍ଷେତ୍ରରେ ପୋଲିସ ବିଭାଗକୁ ଗର୍ବିତ କରିଛନ୍ତି ମହିଳା ପୋଲିସ ଅଫିସର । ଯାହାଙ୍କୁ ନେଇ ଏବେ ପୂରା କେରଳରେ ଚର୍ଚ୍ଚା ।

କେରଳର ଡିସିପି ମେରିନ୍ ଜୋସେଫ ଏମିତି ଏକ ମାମଲାର ସମାଧାନ କରିଛନ୍ତି ଯେଉଁଥିପାଇଁ ପୂରା ରାଜ୍ୟରେ ଏହି ମହିଳା ପୋଲିସ ଅଫିସରଙ୍କୁ ନେଇ ଚର୍ଚ୍ଚା ହେଉଛି । ୨ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ସାଉଦି ଆରବକୁ ଖସି ପଳାଇ ଯାଇଥିବା ଅଭିଯୁକ୍ତକୁ ରିଆଦିରୁ ଗିରଫ କରି ଆଣିବାରେ ସଫଳ ହୋଇଛନ୍ତି ମେରିନ । ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ସାଉଦି ଆରବ ଫେରାର ହୋଇଯାଇଥିବା ଅଭିଯୁକ୍ତ ସୁନୀଲ କୁମାର ଭଦ୍ରନ କେରଳ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା । ତେବେ ଦେଶ ବାହାରକୁ ଚାଲି ଯାଇଥିବାରୁ ଏହି ମାମଲାକୁ ନଜର ଅନ୍ଦାଜ କରୁଥିଲା କେରଳର କୋଲ୍ଲମ ପୋଲିସ ।

ଅଭିଯୁକ୍ତ ଦୁଷ୍କର୍ମକାରୀ ୨୦୧୭ରେ ଛୁଟି କାଟିବା ପାଇଁ କେରଳ ଆସିଥିଲା । ଆଉ ଏହି ସମୟରେ ନିଜ ସାଙ୍ଗଙ୍କ ୧୩ ବର୍ଷର ଭାଣିଜୀ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସୁନୀଲ । ତେବେ ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ସୁନୀଲଙ୍କୁ ଖୋଜିଥିଲା ପୋଲିସ । ଏପରିକି ସୁନୀଲଙ୍କ ନାଁରେ ଲୁକ୍ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଆଉ ସେତେବେଳକୁ ସାଉଦି ଆରବକୁ ଖସି ପଳାଇଥିଲା ଅଭିଯୁକ୍ତ ସୁନୀଲ । ଆଉ ଘଟଣାର କିଛି ଦିନ ମଧ୍ୟରେ ଦୁଷ୍କର୍ମର ଶିକାର ହୋଇଥିବା ପ୍ରାଣ ହରାଇଥିଲେ ।

ଦୁଷ୍କର୍ମ ଘଟଣାକୁ ଏହା ଭିତରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ମାମଲାଟି ଗୋଟିଏ ପାଦ ଆଗକୁ ମଧ୍ୟ ବଢିନଥିଲା ।ତେବେ ୨୦୧୯ରେ ଆଇପିଏସ ଅଫିସର ମେରିନ ଜୋସେଫ କୋଲ୍ଲମର ଡିଏସପି ଭାବେ ଦାୟିତ୍ୱ ନେବା ପରେ ନାଲି ଫିତା ତଳେ ବନ୍ଦ ପଡିଥିବା ଏହି ମାମଲାଟି ପୁଣିଥରେ ଖୋଲିଥିଲା । ଇଣ୍ଟରପୋଲ ନୋଟିସ ଜାରି ହୋଇଥିଲେ ମଧ୍ୟ କେସଟି ସେହିଭଳି ବନ୍ଦ ପଡି ରହିଥିଲା । କିନ୍ତୁ ଦାୟିତ୍ୱ ନେବା ପରେ ଚୁପ୍ ବସିନଥିଲେ ମେରିନ । ସାଉଦି ଆରବ ପୋଲିସ ସହ କାମ କରୁଥିବା କେରଳର ଅନ୍ତର୍ଜାତୀୟ ଯାଞ୍ଚ ଏଜେନ୍ସି ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମେରିନ । ଆଉ ଉପରିସ୍ଥ ଅଧିକାରୀଙ୍କ ଠାରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସାଉଦି ଆରବରେ ପହଞ୍ଚିଥିଲେ ମେରିନ । ଆଉ କେସ୍ ସମ୍ବନ୍ଧୀୟ କାଗଜପତ୍ର ଦେଖାଇବା ସହ ସୁନୀଲ କୁମାରଙ୍କୁ ସାଉଦି ଆରବରୁ ଭାରତକୁ ଗିରଫ କରି ଆଣିଛନ୍ତି ମେରିନ । ସୁନୀଲ ପ୍ରଥମ ଅପରାଧୀ ଯାହାକୁ ବିଦେଶରୁ ଗିରଫ କରି ଆଣିବାରେ ସଫଳ ହୋଇଛି କେରଳ ପୋଲିସ ।