ଭାରସାମ୍ୟ ହରାଇ କେନାକୁ ଖସିପଡ଼ିଲା କାର୍ ! ନିଜେ ବୁଡ଼ିଯାଉଥିଲେ ମଧ୍ୟ ପୁଅକୁ ଟେକି ଧରିଥିଲା ମା’

36

କନକ ବ୍ୟୁରୋ : ରଖିଲେ ହରି ମାରିବ କିଏ…? ଏଭଳି ଏକ ଘଟଣାର ନିଚ୍ଛକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ନିକଟସ୍ଥ କୁଆଁପାଳ -ତ୍ରିବେଣୀଶ୍ବର ପଟ୍ଟାମୁଣ୍ତାଇ କେନାଲ ବନ୍ଧରେ। କେନାଲର ଗଭୀର ଉଛୁଳା ପାଣିରେ ଖସିପଡିଲା କାର । ହେଲେ ଉପସ୍ଥିତ ବୁଦ୍ଧି ବଳରେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଦମ୍ପତି ଓ ୩ ବର୍ଷର ଶିଶୁ ସନ୍ତାନ। ଏଭଳି ଏକ ଲୋମଟାଙ୍କୁରା ଘଟଣା  ମାହାଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।

ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ବାଲିପଡିଆ ଗ୍ରାମର ବିଜୟ ପଣ୍ତା(୩୫) ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ସ୍ତ୍ରୀ ଦେବସ୍ମିତା(୨୩) ଓ ୩ ବର୍ଷର ପୁଅ ବିଶ୍ବପ୍ରକାଶଙ୍କ ସହିତ ନିଜ କାର୍ (ଓଆର୦୨ବି.ଏଲ-୬୦୩୧)‌ରେ କଟକରୁ ଗୋପୀନାଥପୁର-କୁଆଁପାଳ ପଟ୍ଟାମୁଣ୍ତାଇ କେନାଲ ବନ୍ଧ ରାସ୍ତା ଦେଇ ଗାଁକୁ ଫେରୁଥିଲେ । କୁଆଁପାଳ ନିକଟସ୍ଥ ଜଳେଶ୍ବରପୁରଠାରେ ରାସ୍ତାରେ ପଡିଥିବା ମେଣ୍ଟାଲ ଯୋଗୁଁ କାର୍‌ଟି ହଠାତ୍ ଭାରସାମ୍ୟ ହରାଇ କେନାଲର ୧୫ ଫୁଟରୁ ଉର୍ଦ୍ଧ୍ବ ଗଭୀର ଉଛୁଳା ପାଣିକୁ ଖସି ପଡିଥିଲା । କାର୍‌ ଚଳାଉଥିବା ବିଜୟ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିର ଆଗ କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ। କାର୍‌ ଭିତରେ ରହିଯାଇଥିବା ସ୍ତ୍ରୀ ଓ ପୁଅକୁ ବଞ୍ଚାଇବା ପାଇଁ ଯାଇଥିଲେ ମଧ୍ୟ ପାଇ ନଥିଲେ । ଫଳରେ ନିଜ ପୁଅ ଓ ସ୍ତ୍ରୀକୁ ବଞ୍ଚାଇବା ପାଇଁ ଜୋର୍‌ରେ ଚିତ୍କାର ଛାଡିଥିଲେ ବିଜୟ ।
କେନାଲରେ ଗା‌େଧାଉଥିବା ସ୍ଥାନୀୟ କେତେକ ବାସିନ୍ଦା ସହାୟତା ପାଇଁ ଆଗେଇ ଆସିଥିଲେ । ଦେବସ୍ମିତା ନିଜେ ପାଣିରେ ବୁଡି ଯାଉଥିଲେ ସୁଦ୍ଧା ପୁଅ ଯେପରି ପାଣିରେ ନବୁଡିବ ସେଥିପାଇଁ ତାକୁ ଟେକି ଧରିଥିଲେ। ଏହା ଦେଖିବା ପରେ ବିଜୟ ପାଣିକୁ ଡେଇଁ ପୁଅକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲ କୂଳକୁ ନେଇ ଆସିଥିଲେ । କିନ୍ତୁ ଗାଡି ଭିତରେ ଥିବା ତାଙ୍କ ସ୍ତ୍ରୀ ଦେବସ୍ମିତା ପାଣି ପିଇ ଉବୁଟୁବୁ ହେବା ସହ ୨୦ ଫୁଟ ତଳକୁ ପାଣି ସ୍ରୋତରେ ଭାସି ଯାଇଥିଲେ । ଏହାପରେ କିଛି ଯୁବକଙ୍କ ସହିତ ବିଜୟ ମିଶିକରି ଦେବସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନାଲ ଉପରକୁ ଆଣିଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତ ମା’ ଓ ପୁଅକୁ କୁଆଁପାଳ ନିଆଯାଇ ଚିକିତ୍ସା କରାଯାଇଥିଲା । ସମ‌େସ୍ତ ସୁସ୍ଥ ଥିବା ପ୍ରକାଶ। ଖବର ପାଇ କୁଆଁପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କେନାଲ ମଧ୍ୟରେ ବୁଡି ଯାଇଥିବା କାରକୁ ଗ୍ରାମବାସୀଙ୍କ ସହାୟତାରେ ରଶି ଦ୍ବାରା ଟାଣି କେନାଲ ଉପରକୁ ଉଠାଇଥିଲେ ।